ରାଜ୍ୟ କଂଗ୍ରେସକୁ ସୁଧାରିବ ସୁନୀଲଙ୍କ ସୂତ୍ର? ରାହୁଲଙ୍କ ହାତରେ ରଣନୀତି ରିପୋର୍ଟ

222

କନକ ବ୍ୟୁରୋ: ବିଳମ୍ବରେ ହେଲେ ବି ରାଜ୍ୟରେ ସକ୍ରିୟ ହୋଇଛି କଂଗ୍ରେସ । କଂଗ୍ରେସ ପ୍ରଭାରୀ ପରିବର୍ତନ ପରେ ନୂଆ ରଣନୀତି ସହ ଆଗକୁ ବଢ଼ୁଛି ଦଳ । ଆଉ ଏହି ରଣନୀତି ପଛରେ ଯେଉଁ ବ୍ୟକ୍ତି ରହିଛନ୍ତି, ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । କୁହାଯାଉଛି, ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରଣନୀତିକାରଙ୍କ ମଧ୍ୟ ସେ ଥିଲେ ଅନ୍ୟତମ । ଏବେ ସେ ଓଡିଶା କଂଗ୍ରେସକୁ ମଜବୁତ କରିବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି ।

କର୍ଣ୍ଣାଟକ, ତେଲେଙ୍ଗାନା ନିର୍ବାଚନ ସମୟରେ ଚର୍ଚ୍ଚାକୁ ଆସିଥିଲେ ରଣନୀତିକାର ସୁନୀଲ । କୁହାଯାଏ, ସୁନୀଲଙ୍କ ଚତୁର ରଣନୀତି ତେଲେଙ୍ଗାନା ଓ କର୍ଣ୍ଣାଟକରେ କଂଗ୍ରେସକୁ ବିଜୟୀ କରିଥିଲା । ଦଳ ସରକାର ଗଢ଼ିଥିଲା । ପ୍ରଭାରୀ ଅଜୟ କୁମାର ଓଡିଶା ଦାୟିତ୍ୱ ନେବା ପରେ ତାଙ୍କୁ ଓଡିଶା କଂଗ୍ରେସର ସ୍ଥିତି କଣ ତାର ସର୍ଭେ ଦାୟିତ୍ୱ ଦେଇଥିିଲେ । ଦାୟିତ୍ୱ ମିଳିବା ପରେ, ବଛା ବଛା ଲୋକଙ୍କୁ ଆଣି ଓଡିଶାରେ ସର୍ଭେ କରିଥିଲେ ସୁନୀଲ । ଏବଂ ରିପୋର୍ଟ ପ୍ରସ୍ତୁତ କରି ଦଳକୁ ହସ୍ତାନ୍ତର କରିଛନ୍ତିି ।

ସୁନୀଲଙ୍କ ସର୍ଭେ ରିପୋର୍ଟ ରାହୁଲ ଗାନ୍ଧୀଙ୍କୁ ହସ୍ତାନ୍ତର କରାଯାଇଛି । ମାର୍ଚ୍ଚ ୯ରେ ଦ୍ୱିତୀୟ ଥର ପାଇଁ ସ୍କ୍ରିନିଂ କମିଟି ବୈଠକ ଏଆଇସିସିର ଦିଲ୍ଲୀ ମୁଖ୍ୟାଳୟରେ ବସିବ । ଏହି ସର୍ଭେ ରିପୋର୍ଟ ଅନୁସାରେ ଯୋଗ୍ୟ ପ୍ରାର୍ଥୀଙ୍କ ଟିକେଟ ଦେବ କଂଗ୍ରେସ । ତେବେ ସର୍ଭେ ରିପୋର୍ଟରେ କଣ ଅଛି..

– ବିଜେଡି-ବିଜେପି ଯେଉଁଭଳି ଢ଼ଙ୍ଗରେ ନିର୍ବାଚନ ପରିଚାଳନା କରୁଛନ୍ତି କଂଗ୍ରେସ ତାଙ୍କ ସହ ତାଳ ଦେଇ ପାରୁନି
– ପୁରୁଣା ପନ୍ଥାରେ ଓଡିଶା କଂଗ୍ରେସ ନିର୍ବାଚନକୁ ଓହ୍ଲାଉଛି
– ଅନେକ ନେତା ସୁବିଧାବାଦର ରାସ୍ତା ଆପଣେଇବାକୁ ଚେଷ୍ଟା କରୁଛନ୍ତି , ସ୍ରୋତ ସହ ସହଜରେ ଆଗକୁ ଯିବାକୁ ଚେଷ୍ଟା କରୁଛନ୍ତି, ଯାହାଫଳରେ ଦଳ ଅଦଳବଦଳ ଜୋର ଧରୁଛି
– ବିଜେଡି-ବିଜେପି ମଧ୍ୟରେ ଥିବା ସମ୍ପର୍କକୁ ଭୋଟରଙ୍କୁ ବୁଝାଇବାରେ ଅସମର୍ଥ ରାଜ୍ୟ କଂଗ୍ରେସ ନେତା
– ନିଜ ବଳ ଅପେକ୍ଷା କେନ୍ଦ୍ରୀୟ ନେତୃତ୍ୱ ଉପରେ ଅଧିକ ନିର୍ଭରଶୀଳ
– ମାଇକ୍ରୋ-ମ୍ୟାନେଜମେଂଟରେ ଦଳ ଅସମର୍ଥ
– ଦଳ ପାଖରେ ଆର୍ଥିକ ସମସ୍ୟା ରହିଛି

କେବଳ ଏତିକି ନୁହେଁ କଂଗ୍ରେସ ଭବନରେ ନିର୍ବାଚନୀ ୱାର ରୁମ୍ ପ୍ରସ୍ତୁତ ହୋଇଛି । ଦିଲ୍ଳୀରୁ ନେତା ଆସି ଏହି ୱାରରୁମରେ ଓଡିଶାର ବୁଥ୍ ଏଜେଂଟମାନଙ୍କୁ ଟାକ୍ସ ଦେବା ସହ କେତେ ବାଟ ଆଗେଇଛନ୍ତି ତାର ଟିକନିକ୍ ହିସାବ ନେଉଛନ୍ତି । ତେବେ ଦେଖାଯାଉ ସୁନୀଲଙ୍କ ଷ୍ଟ୍ରାଟେଜୀ ଓଡିଶାରେ କାମ ଦେଉଛି କି ନାହିଁ ।