ପାକିସ୍ତାନ ସାଧାରଣ ନିର୍ବାଚନର ଆଜି ଆସିବ ଫଳାଫଳ, ଚାଲିଛି ଭୋଟ ଗଣତି । ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ , କିଏ ଗଢିବ ସରକାର ।

112

କନକ ବ୍ୟୁରୋ: ଆଜି ଆସିବ ପାକିସ୍ତାନର ଜନାଦେଶ । ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କିଏ ଗଢିବ ନୂଆ ସରକାର । କାହାକୁ ସ୍ପଷ୍ଟ ବହୁମତ ମିଳିବ ନା ପାକିସ୍ତାନରେ ଏଥର ଝୁଲା ସରକାର ହେବ କେଇ ଘଣ୍ଟା ପରେ ଜଣାପଡିବ ।

ଗତକାଲି କାଁ ଭାଁ ହିଂସାକାଣ୍ଡ ଭିତରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସରିଥିଲା । ଭୋଟ ଗ୍ରହଣ ସରିବା ପରେ ଆରମ୍ଭ ହୋଇଥିଲା ଭୋଟ ଗଣତି । ହେଲେ ଫଳାଫଳ ପ୍ରକାଶରେ ଏଥର ବିଳମ୍ବ ହେଉଥିବାରୁ ଆଜି ସନ୍ଧ୍ୟା ସୁଦ୍ଧା ଫଳାଫଳ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି । ଶେଷ ଖବର ସୁଦ୍ଧା ୨୬୫ ଆସନ ମଧ୍ୟରୁ ୧୩୮ ଆସନର ଗଣତି ଚାଲିଛି । ସେଥିମଧ୍ୟରୁ ୮୨ଟି ଆସନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଆଗରେ ଅଛନ୍ତି । ସେହିପରି ୩୫ ଆସନରେ ଆଗୁଆ ଅଛନ୍ତି ନୱାଜ ସରିଫଙ୍କ ପିଏମଏଲଏନ ପାର୍ଟିର ପ୍ରାର୍ଥୀ । ବିଲାଓକ୍ୱଲ ଭୁଟୋଙ୍କ ପାର୍ଟି ପାକିସ୍ତାନ ପିପୁଲ୍ସ ପାର୍ଟିର ୧୭ ପ୍ରାର୍ଥୀ ଭୋଟ ଗଣତିରେ ଆଗୁଆ ଥିବା ସୂଚନା ମିଳିଛି ।

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ମୋଟ ୩୩୬ ଆସନ ରହିଛି । ସେଥିମଧ୍ୟରୁ ୨୬୬ ଆସନରେ ପ୍ରାର୍ଥୀ ନିର୍ବାଚିତ ହୋଇ ନ୍ୟାସନାଲ ଅସେମ୍ବ୍ଲିକୁ ଆସନ୍ତି । ବାକି ୭୦ ସାଂସଦ ଆସନ ସଂରକ୍ଷିତ । ମହିଳାଙ୍କ ପାଇଁ ୬୦ ଆସନ ସଂରକ୍ଷିତ ଓ ଅଣମୁସଲିମଙ୍କ ପାଇଁ ୧୦ଟି ସିଟ ରିଜର୍ଭେସନ ରହିଛି । ତେଣୁ ମୋଟ ୨୬୬ ଆସନ ପାଇଁ ନିର୍ବାଚନ ହେଉଥିବାରୁ ସଂଖ୍ୟା ଗରିଷ୍ଠତା ପାଇଁ ୧୩୪ ସିଟ ଆବଶ୍ୟକ । ତେଣୁ ପାକିସ୍ତାନରେ ପ୍ରାୟ ଦେଢବର୍ଷ ହେଲା ଚାଲିଥିବା ରାଜନୈତିକ ଘଟଣାବହୁଳ, ସେନାର ହସ୍ତକ୍ଷେପ ଦେଖିବା ଏବଂ ବେରୋଜଗାର ଓ ଆକାଶଛୁଆଁ ମହଙ୍ଗା ଦର ସହ ଜୁଝୁଥିବା ସାଧାରଣ ଜନତା ଏଥର ଶାସନ ଗାଦିରେ କାହାକୁ ବସାଉଛନ୍ତି ।