ସ୍ନେହ-ଆକଟ କରୁଛନ୍ତି । ବୁଝାଇ-ସୁଝାଇ ଖୁଆଇ ଦେଇ ସଜବାଜ କରିଦେଉଛନ୍ତି, ୧୦ ବର୍ଷ ଧରି ଶଯ୍ୟାଶାୟୀ ସ୍ତ୍ରୀର ସେବା କରି ଚର୍ଚ୍ଚାରେ ରାଜନଗରର ବୃଦ୍ଧ ସ୍ୱାମୀ ।

387

କନକ ବ୍ୟୁରୋ: ଏଇ ନିଅ ଦୁଇ ଚାମୁଚାଏ ଖାଇଦିଅ… ନଖାଇଲେ ମେଡିସିନ ଖାଇବ କେମିତି. ତମ ଦେହ ଭଲ ହେବ କେମିତି ଯେ? ତୁମେ ପେଟପୂରା ଖାଇଦିଅ, ମୁଁ ତମ ମୁଣ୍ଡ କୁଣ୍ଡାଇଦେଇ ସଜବାଜ କରେଇଦେବି । ସ୍ନେହ ପ୍ରେମ, ଶ୍ରଦ୍ଧାରେ ଏମିତି କିଛି ମିଠା କଥା କହି ଶଯ୍ୟାସାୟୀ ସ୍ତ୍ରୀର ସେବା କରୁଛନ୍ତି ବୃଦ୍ଧ ସ୍ୱାମୀ । ଆଉ ଏମିତି ସ୍ୱାମୀକୁ ସବୁଜନ୍ମରେ ପାଇବାକୁ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି ସ୍ତ୍ରୀ ।

ପ୍ରେମ ଖାଲି ଯେ ଯୁବ ବୟସରେ ହୁଏ ତାହା ନୁହେଁ । ପରିଣତ ବୟସରେ ବି ନିଜର ଜୀବନସାଥି ସହ ଅଗାଢ ପ୍ରେମ ସମାଜକୁ ପ୍ରେରଣା ଦିଏ । ଠିକ୍ ସେହିଭଳି ପ୍ରେରଣାଦାୟୀ ପ୍ରେମ କାହାଣୀ ଗଢ଼ି ତୋଳିଛନ୍ତି କେନ୍ଦ୍ରାପଡା ରାଜନଗର ବୃଦ୍ଧ ଦମ୍ପତି । ଏ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗାଁର ସଚ୍ଚିଦାନନ୍ଦ ବାଗ୍ ଓ ପ୍ରେମଲତା ବାଗ୍ । ସଚ୍ଚିଦାନନ୍ଦଙ୍କ ବୟସ ୮୦ ବର୍ଷ ଓ ପ୍ରେମଲତାଙ୍କ ବୟସ ୭୫ । ପତ୍ନୀ ପ୍ରେମଲତା ୨୦୧୪ ମସିହାରେ ହଠାତ୍ ଅସୁସ୍ଥ ହୋଇ ପଡିଲେ । ଦୁଇଟି ଗୋଡ ପାରାଲିସିସ ଯୋଗୁଁ କାମ କରୁନଥିବାରୁ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ । ହେଲେ ରୋଗୀଣା ସ୍ତ୍ରୀର ହାତ ନଛାଡ଼ି ସେବା ସୁସୃଶା କରି ନିଭେଇ ଚାଲିଛନ୍ତି ସ୍ୱାମୀ ହେବାର ଧର୍ମ ।

ପ୍ରେମ କାହାପାଇଁ କେମିତି ହୋଇପାରେ । କିଏ ଗୋଲାପ ତ ଆଉ କିଏ ଦାମୀ ଗିପ୍ଟ ମାଧ୍ୟମରେ ପ୍ରେମର ପରିଭାଷାକୁ ବୁଝାଏ । ଏଠି କିନ୍ତୁ ଚିତ୍ର ଟିକେ ଭିନ୍ନ । ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ନିଜ ଜୀବନ ସାଥିର ସେବା କରି ନିଜ ପ୍ରେମକୁ ଚିରନ୍ତନ କରିପାରିଛନ୍ତି ସଚ୍ଚିଦାନନ୍ଦ । ଏଠି ପ୍ରେମରେ ରାଗ, ରୁଷା, ଅଭିମାନ ନୁହେଁ ବରଂ ପ୍ରେମର ପ୍ରକୃତ ଅର୍ଥ ସେବା ଓ ତ୍ୟାଗକୁ ବୁଝାଇଛନ୍ତି ସଚ୍ଚିଦାନନ୍ଦ । ସେଥିପାଇଁ ତ ଟିକେ ଫାଙ୍କା ସମୟ ପାଇଲେ ଗୀତଗାଇ ନିଜ ବାହାଘରର ପୁରୁଣା ଫଟୋକୁ ଦେଖି ପ୍ରେମ ବାଣ୍ଟୁଛନ୍ତି ଉଭୟ ।

ବାପା ମାଆଙ୍କ ମଧ୍ୟରେ ଏପରି ଅତୁଟ ଭଲ ପାଇବା ତାଙ୍କ ପିଲାମାନଙ୍କୁ ପ୍ରଭାବିତ କରିଥାଏ । ପୁଅ ବୋହୂ ମଧ୍ୟ ବାପା ମାଆଙ୍କର ଏହି ମଧୂର ସମୟ ସବୁକୁ ଦେଖି ଖୁସି ହୋଇଥାନ୍ତି । ତାଙ୍କ ମଧ୍ୟରେ ଏହି ଭଲପାଇବା ଆଜିର ଯୁବ ସମାଜକୁ ପ୍ରେରଣା ଦେଉଥିବା ନେଇ ଅଞ୍ଚଳବାସୀ କୁହନ୍ତି ।

ଆଧୁନିକ ଯୁଗର ପ୍ରେମରେ ଅଧିକ ଛଳନା ଦେଖିବାକୁ ମିଳୁଛି । କିନ୍ତୁ ସତରେ ପରିଣତ ବୟସରେ ପ୍ରେମର ପ୍ରକୃତ ଅର୍ଥ ବୁଝାଇ ଦେଉଛନ୍ତି କେନ୍ଦ୍ରାପଡ଼ା ରାଜନଗରର ଏହି ବୃଦ୍ଧ ଦମ୍ପତ୍ତି । ଭାଲେଣ୍ଟାଇନ୍ ଡେ’ ମାନେ ପ୍ରେମୀଯୁଗଳଙ୍କ ଦିବସ, ଆଉ ଏ ପ୍ରେମୀ ଯୁଗଳଙ୍କ କାହାଣୀ ଆଜିର ଛଳନାଭରା ପ୍ରେମ ଦୁନିଆକୁ ଆଇନା ଦେଖାଇବ ନିଶ୍ଚିତ ।