ଆସନ୍ତାକାଲି ସକାଳ ୧୦ଟାରେ ନାମାଙ୍କନ ଦାଖଲ କରିବେ ଅଶ୍ୱିନୀ ବୈଷ୍ଣବ: ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀଙ୍କୁ ରିପିଟ୍ କରିଛି ବିଜେପି

98

କନକ ବ୍ୟୁରୋ: ପୁଣି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳମନ୍ତ୍ରୀ ନାଁରେ ମୋହର ମାରିଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି ଭାରତୀୟ ଜନତା ପାର୍ଟି । ଆସନ୍ତାକାଲି ସକାଳେ ୧୦ଟାରେ ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଦାଖଲ କରିବେ । ବରିଷ୍ଠ ବିଜେପି ନେତାଙ୍କ ସହ ଯାଇ ସେ ପ୍ରାର୍ଥୀପତ୍ର ଦାଖଲ କରିବା କାର୍ଯ୍ୟସୂଚୀ ରହିଛି । ୨୦୧୯ ରାଜ୍ୟସଭା ନିର୍ବାଚନ ଭଳି ୨୦୨୪ରେ ରିପିଟି ହୋଇଛନ୍ତି ଅଶ୍ୱିନୀ ବୈଷ୍ଣବ ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେବ ବିଜୁ ଜନତା ଦଳ । ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସମର୍ଥନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଅଶ୍ୱିନୀ ବୈଷ୍ଣଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ସମର୍ଥନ କରିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶାର ରେଳବାଇ ଏବଂ ଟେଲିକମ୍ କ୍ଷେତ୍ରରେ ଓଡ଼ିଶାର ସ୍ୱାର୍ଥକୁ ଦେଖି ଏହି ସମର୍ଥନ ଦିଆଯାଇଥିବା ସୂଚନା ଦିଆଯାଇଛି । ରାଜ୍ୟସଭା ପାଇଁ ଓଡ଼ିଶାରୁ ଖାଲି ପଡ଼ୁଥିବା ୩ଟି ଆସନ ପାଇଁ ବିଜେଡି ୨ଜଣଙ୍କୁ ପ୍ରାର୍ଥୀ କରିଥିବା ବେଳେ ତୃତୀୟ ପ୍ରାର୍ଥୀଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେବ । ତେବେ ଗତକାଲି ବିଜେଡି ପ୍ରାର୍ଥୀ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଂଟିଆ ନାମାଙ୍କନ ଦାଖଲ କରି ସାରିଛନ୍ତି । ଏପଟେ ବିଜେଡ଼ିର ସମର୍ଥନ ପ୍ରସଙ୍ଗରେ ପ୍ରତିକ୍ର୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋନ ସାମିଲ । କହିଛନ୍ତି- ବିଜେପି କାହାକୁ ସମର୍ଥନ ମାଗି ନାହିଁ । ଆମ ପାଖରେ ପ୍ରସ୍ତାବକ ଅଛନ୍ତି, ଆମେ ପ୍ରାର୍ଥୀ ଦେଇଛୁ । ସେପଟେ ବିଜେପି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଘୋଷଣାକୁ କଟାକ୍ଷ କରିଛି କଂଗ୍ରେସ । ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର, ସୋସିଆଲ ମିଡ଼ିଆରେ ମତ ଦେଇ ଲେଖିଛନ୍ତି- ବିଜେଡି ସବୁବେଳେ ବିଜେପିକୁ ସମର୍ଥନ ଦେଇ ଆସିଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଓଡିଶାବାସୀଙ୍କୁ ପ୍ରତାରିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଦଳ ମଧ୍ୟରେ ବୈବାହିକ ମେଂଟ ଥିବା ଅଭିଯୋଗ କରିଛନ୍ତି ।