ମନ ମୋହୁଛି ଖାଣ୍ଡିଆ ଜଳପ୍ରପାତ । ପିକନିକ୍ ଋତୁରେ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ, ଜମୁଛି ବଣଭୋଜି । ମନ ମୋହୁଛି ଖାଣ୍ଡିଆ ଜଳପ୍ରପାତ

210

କନକ ବ୍ୟୁରୋ: ଆସିଛି ପିକନିକ୍ ଋତୁ । ଜମୁଛି ବଣଭୋଜିର ମଜା । ପରିବାର ଓ ସାଙ୍ଗ ସାଥୀ ମେଳରେ ପ୍ରାକ୍ୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ସହରରୁ ୫୦ କି.ମି ଓ ସଦର ମହକୁମା ବାରିପଦାଠାରୁ ୬୦ କି.ମି ଦୂରରେ ଅବସ୍ଥିତ ଖାଣ୍ଡିଆ ଜଳପ୍ରପାତ । ରାତି ପାହିଲେ ଝରଣା ପାର୍ଶ୍ୟବର୍ତୀ ଖାଲି ସ୍ଥାନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ସମସ୍ତେ ପରିବାର ଓ ସାଙ୍ଗସାଥୀଙ୍କ ସହ ଉପଭୋଗ କରୁଛନ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟର ମନୋରମ ଦୃଶ୍ୟ । ,

ପିକନିକ୍ ଋତୁ ଆସିଲେ ବଣଭୋଜି ଲାଗି ମୟୂରଭଞ ଜିଲ୍ଲାକୁ ଟାଣି ହୋଇ ଆସିଥାନ୍ତି ଅନେକ ପର୍ଯ୍ୟଟକ । ବିଶେଷକରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା , ଖାଣ୍ଡିଆ ଜଳପ୍ରପାତ ଆମୋଦପ୍ରମୋଦର ଅନ୍ୟତମ ସ୍ଥାନ । ଜଳପ୍ରପାତର ଚାରିପଟେ ସବୁଜିମା ଓ ସୁଉଚ୍ଚ ପ୍ରର୍ବତ ମାଳାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ  କରିଥାଏ । ସତେ ଯେପରି ସୁନ୍ଦର ପ୍ରାକୃତିକ ପରିବେଶକୁ କ୍ଷଣିକ ଉପଭୋଗ କରିବା ପାଇଁ ବାଧ୍ୟ କରୁଛି ପର୍ଯ୍ୟଟକଙ୍କୁ । ସହରବାସୀ,ଜିଲ୍ଲା ବାସୀଙ୍କ ସହ ପଡୋଶୀ ଝାଡଖଣ୍ଡ,ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ଭିଡ ଏଠାରେ ଦେଖିବାକୁ ମିଳେ । ବର୍ଷ ତମାମ ଲୋକଙ୍କ ଭିଡ ଲାଗି ରହିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଆସିଥାନ୍ତି । ଛୋଟ ପିଲାଙ୍କଠାରୁ ବୟସ୍କ ସମସ୍ତେ ଥରେ ଏହି ଜଳପ୍ରପାତକୁ ଆସିଲେ ଫେରିବାକୁ ଇଚ୍ଛା କରିନଥାନ୍ତି । ଝରଣାର କୁଳୁକୁଳୁ ଶବ୍ଦ ସତେ ଯେମିତି ପର୍ଯ୍ୟଟକଙ୍କୁ ନିମନ୍ତ୍ରଣ କରିବା ଭଳି ମନେ ହୁଏ ।

ଏହି ଜଳପ୍ରପାତ ନିକଟରେ ପୂଜା ପାଆନ୍ତି ଖାଣ୍ଡିଆ ଠାକୁର । ପୂଜା ପାଇଁ ମଧ୍ୟ ବର୍ଷ ତମାମ୍ ଦେଖିବାକୁ ମିଳେ ଭକ୍ତଙ୍କ ଭିଡ । ଖାଣ୍ଡିଆ ଠାକୁରଙ୍କୁ ପୂଜା କଲେ ପରିବାରର ସୁଖଶାନ୍ତି ଓ ମନସ୍କାମନା ମଧ୍ୟ ପୂର୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଏଥିସହ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଜଳପ୍ରପାତର ସ୍ଥଳ ଭାଗରେ ରହିଛି ଖାଣ୍ଡିଆ ପାର୍କ । ପାର୍କରେ ଭଳିକି ଭଳି ଫୁଲ ବଗିଚାରେ ବୁଲିବା ସାଙ୍ଗକୁ ସେଲ୍ଫି ଉଠାଇବାର ମଜା ନେଉଛନ୍ତି ପର୍ଯ୍ୟଟକ । ପରିବେଶକୁ ସ୍ୱଛ ରଖିବା ପାଇଁ ପ୍ରଶାସସନ ପକ୍ଷରୁ ଡଷ୍ଟବିନ୍ ଏବଂ ଶୋଚାଳୟ ମଧ୍ୟ ବ୍ୟବସ୍ଥା କରାଯାଇଛି । କିନ୍ତୁ ଜଳପ୍ରପାତକୁ ଯିବା ପାଇଁ ରାସ୍ତାର ଉନ୍ନତି କରଣ କରାଯାଇନଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ପରିଚାଳନା କମିଟି ପକ୍ଷରୁ ପାର୍କ ଓ ଜଳପ୍ରପାତର ରକ୍ଷଣାବେକ୍ଷଣ କରାଯାଉଛି । ହେଲେ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନସ୍ଥଳିର ବିକାଶ ଉପରେ ଧ୍ୟାନ ଦିଆଗଲେ, ଅଞ୍ଚଳର ବିକାଶ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକ କହିଛନ୍ତି ।