କାଲି ପାଲିଥିଲେ ଜନ୍ମଦିନ, ସକାଳୁ ଚାଲିଗଲା ଜୀବନ: ସ୍କୁଟିରେ ଯିବାବେଳେ ବାଣୀବିହାର ଓଭରବ୍ରିଜରେ ଚଢ଼ିଗଲା ଟ୍ରକ

6,399

କନକ ବ୍ୟୁରୋ: କାଲି ଜନ୍ମଦିନ ଥିଲା । ହେଲେ, ଆଜି ସକାଳୁ ଚାଲି ଯାଇଛି ଜୀବନ । ବାଣିବିହାର ଓଭର ବ୍ରିଜ ନିକଟରେ ଟ୍ରକ ଧକାରେ ମୃତ୍ୟୁ ହୋଇଥିବା ଓୟୁଟିଆର ବା କଲେଜ ଅଫ୍ ଇଂଜିନୟରିଂ ଆଣ୍ଡ ଟେକ୍ନୋଲଜିର ଛାତ୍ର ପ୍ରତ୍ୟୁତପର୍ଣ୍ଣ ଦାସଙ୍କ ସମ୍ପର୍କରେ ଏମିତି କିଛି ଦୁଃଖଦ ସୂଚନା ମିଳିଛି । ସେ ଗତକାଲି ସାଂଗ ସାଥୀଙ୍କ ସହ ଜନ୍ମଦିନ ପାଳିଥିଲେ । ବେଶ ଖୁସିରେ ଥିଲେ । ଆଜି ସକାଳୁ ସେ ସ୍କୁଟିରେ କଲେଜ ଯାଉଥିବାବେଳେ ବାଣିବିହାର ଓଭରବ୍ରିଜରେ ତାଙ୍କୁ ଧକା ଦେଇଥିଲା ଟ୍ରକ । ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ଉପରେ ଗାଡିର ଚକ ସମ୍ପୂର୍ଣ୍ଣ ଚଢ଼ି ଯାଇଥିଲା । ଯାହାଫଳରେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇଥିଲା । ତେବେ ପରେ ତାଙ୍କର ପରିଚୟ ମିଳିଥିଲା । ଜଣାପଡିଥିଲା ଯୁବକ ଜଣଙ୍କ ଓୟୁଟିଆରର ବିଟେକ ପ୍ରଥମ ବର୍ଷ ଇଲେକଟ୍ରୋନିକ୍ସ ଇଂଜିନୟରିଂ ବିଭାଗର ଛାତ୍ର ଥିଲେ । ତାଙ୍କ ବାପାଙ୍କ ନାମ ପ୍ରଦତ କୁମାର ଦାସ, ମା ଅନ୍ନପୁର୍ଣ୍ଣା ଦାସ । ପ୍ରତ୍ୟୁତପର୍ଣ୍ଣ ଦାସ କଲେଜ ଯାଉଥିବା ବେଳେ ଦୁର୍ଘଟଣାର ଘଟିଥିଲା । ମୃତକଙ୍କ ପାଖରେ ପଡି ଥିଲା ମୋବାଇଲ ଯାହାକି ଦୁର୍ଘଟଣାରେ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା । ଦୁର୍ଘଟଣା ପରେ ଟ୍ରାଫିକ୍ ଜାମ୍ ରହିଥିଲା । ଦୁର୍ଘଟଣାଗସ୍ତ ହୋଇଥିବା ସ୍କୁଟିଟି ମୃତ ଛାତ୍ରଙ୍କ ବାପା ପ୍ରଦତ କୁମାର ଦାସଙ୍କ ନାଁରେ ରହିଛି । ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ସେଠାରେ ଶବ ବ୍ୟବଚ୍ଛେଦ ହେବ । ଅନ୍ୟପଟେ ଦୁର୍ଘଟଣା ଘଟାଇବା ଟ୍ରକ ଡ୍ରାଇଭର ଥାନାରେ ଅଟକ ରହିଛି ।