ଦକ୍ଷିଣ ଆଫ୍ରିକା ଖଣି ଦୁର୍ଘଟଣା । ୬୫୦ ଫୁଟ ଉପରୁ ଖସି ପଡିଲା ଲିଫ୍ଟ । ୧୧ ଜଣଙ୍କର ମୃତ୍ଯୁ  

62

ଗତକାଲି ଭାରତରେ ୧୭ ଦିନ  ଧରି ସୁଡଙ୍ଗ  ଭିତରେ ଫସି ରହିଥିବା ୪୧ ଜଣ ଶ୍ରମବୀରଙ୍କୁ ଉଦ୍ଧାର କରାଯାଇଛି । ଠିକ ଏହି ସମୟରେ ପୃଥିବୀର ଅନ୍ୟ ଏକ ପାର୍ଶ୍ୱରୁ ପ୍ରାୟ ସେହିପ୍ରକାର ଏକ ଦୁଃଖଦ ଖବର ସାମନାକୁ ଆସିଛି ।

ଦକ୍ଷିଣ ଆଫ୍ରିକାର ଏକ ପ୍ଲାଟିନମ୍ ଖଣିରେ ଏକ ବଡ଼ଧରଣର  ଦୁର୍ଘଟଣା ଘଟିଯାଇଛି ।  ଶ୍ରମିକମାନଙ୍କୁ ସୁଡଙ୍ଗରୁ ଭୂମି ଉପରକୁ ଆସୁଥିବା ବେଳେ ହଠାତ୍ ଏକ ଲିଫ୍ଟ ଛିଣ୍ଡି ଯାଇ ପ୍ରାୟ ୨୦୦ ମିଟର (୬୫୬ ଫୁଟ) ତଳକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ ୧୧ ଜଣ ଶ୍ରମିକଙ୍କର ମୃତ୍ଯୁ ଘଟିଛି ।

ଦକ୍ଷିଣ ଆଫ୍ରିକା ହେଉଛି ବିଶ୍ବର ସର୍ବାଧିକ ପ୍ଲାଟିନମ୍ ଉତ୍ପାଦନକାରୀ ଦେଶ । ୨୦୨୨ ମସିହାରେ ହେଇଥିବା  ଖଣି ଦୁର୍ଘଟଣାରେ ମୋଟ ୪୯ ଜଣଙ୍କର ମୃତ୍ୟୁ ଘଟିଥିଲା । ୨୦୨୧ ରେ ଏହି ସଂଖ୍ୟା ୭୪ ଥିଲା ।  ଯାହାକି ପୂର୍ବ ବର୍ଷ ତୁଳନାରେ ବହୁତ କମ । ଦକ୍ଷିଣ ଆଫ୍ରିକା ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଗତ ଦୁଇ ଦଶନ୍ଧି ମଧ୍ୟରେ ଖଣି ଦୁର୍ଘଟଣାରେ ମୃତ୍ଯୁ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି । ୨୦୦୦ ମସିହାରେ ଏହି ସଂଖ୍ୟା ହାରାହାରି ୩୦୦ ଥିଲା ।

ଖଣି ସଞ୍ଚାଳକ ମଙ୍ଗଳବାର ଦିନ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୫ ଜଣ ଆହତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ଉତ୍ତର ସହର ରୁଷ୍ଟେନବର୍ଗର ଏକ ଖଣିରେ ଶ୍ରମିକଙ୍କ ସିଫ୍ଟ ଶେଷ ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ସିଫ୍ଟ ସାରି ଖଣିରୁ ଉପରକୁ ଆସୁଥିବା ବେଳେ ଲିଫ୍ଟ ହଠାତ ଛିଡି ଯାଇଥିଲା । ଆହତ ଶ୍ରମିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖଣିର ମାଲିକାନା ଦାୟିତ୍ବରେ ଥିବା ଇମ୍ପାଲା ପ୍ଲାଟିନମ୍ ହୋଲ୍ଡିଂସର (ଇମ୍ପ୍ଲାଟସ୍) ସିଇଓ ନିକୋ ମଲେର ଏକ ବିବୃତ୍ତିରେ କହିଛନ୍ତି ଯେ ଇମ୍ପାଲା ଇତିହାସର ଏହା ସବୁଠାରୁ ଦୁଖର ଦିନ ଅଟେ ।  ଲିଫ୍ଟ ଭୁଶୁଡ଼ିବାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇସାରିଛି ଏବଂ ଖଣି ଦାୟିତ୍ବରେ ଥିବା ପରିଚାଳନା ମଣ୍ଡଳୀକୁ ବରଖାସ୍ତ କରାଯାଇଛି । ଖଣିର ସମସ୍ତ କାର୍ଯ୍ୟ ସ୍ଥଗିତ ରଖାଯାଇଛି ।

୨୦୦ ମିଟର ତଳକୁ ଖସି ପଡିଲା ଲିଫ୍ଟ

ଆହତମାନଙ୍କ ମଧ୍ୟରୁ କେତେକଙ୍କର ଅବସ୍ଥା ଗମ୍ଭୀର ରହିଛି ବୋଲି ଇମ୍ପ୍ଲାଟସ୍ ମୁଖପାତ୍ର ଜୋହାନ୍ ଥେରନ୍ କହିଛନ୍ତି । ସେ କହିଛନ୍ତି ଯେ ଲିଫ୍ଟ ଶାଫ୍ଟରୁ ପ୍ରାୟ ୨୦୦ ମିଟର ତଳକୁ ଖସି ଆସିଛି, ଯଦିଓ ଏହା କେବଳ ପ୍ରାରମ୍ଭିକ ଆକଳନ ଅଟେ । ଏହା ଏକ ଅସାଧାରଣ ଦୁର୍ଘଟଣା ବୋଲି ସେ କହିଛନ୍ତି । ଦକ୍ଷିଣ ଆଫ୍ରିକା ହେଉଛି ସର୍ବାଧିକ ପ୍ଲାଟିନମ୍ ଉତ୍ପାଦନକାରୀ ଦେଶ