ରାମଙ୍କ ପାଇଁ ଦୀପଟିଏ: ଘରେ ଘରେ ଦୀପ ଜାଳିଲେ ଶ୍ରଦ୍ଧାଳୁ, ଏପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଓଡ଼ିଶା ଉତ୍ସବ ମୁଖର

73

କନକ ବ୍ୟୁରୋ: ପୁରଠୁ ପଲ୍ଲୀ ସବୁଠି ରାମମୟ । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଓଡ଼ିଶାରେ ଦେଖିବାକୁ ମିଳିଛି ଉତ୍ସାହ । କେଉଁଠି କଳସ ଯାତ୍ରା ତ କେଉଁଠି ହୋମଯଜ୍ଞ । ବିଭିନ୍ନ ମନ୍ଦିର, ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ରାସ୍ତାରେ ବାଇକ୍ ରାଲି ଦେଖିବାକୁ ମିଳିଛି । ଲାଗୁଥିଲା ଯେପରି ପୂରା ଓଡ଼ିଶା ରାମମୟ ହୋଇପଡ଼ିଛି ।

ରାମମୟ ଓଡ଼ିଶା । ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଝଲକ ଭୁବନେଶ୍ୱରର କୋଣ ଅନୁକୋଣରେ ଦେଖିବାକୁ ମିଳିଛି । ରାମଙ୍କ ନାରା ଦେଇ ରାଜରାସ୍ତା ଦେଇ ଯାଉଥିବା ବିଶାଳ ରାଲି ଏବଂ ସ୍ଥାନେ ସ୍ଥାନେ ପ୍ରଭୁଙ୍କ ଆଗମନ ପାଇଁ ଉତ୍ସବର ମାହୋଲ । ଆଉ ଏସବୁ ଭିତରେ ରାମ ମନ୍ଦିର ପରିସରରେ ସୃଷ୍ଟି ହୋଇଥିଲା ଅଯୋଧ୍ୟା ପରିବେଶର ଭ୍ରମ । ହଜାର ହଜାର ଭକ୍ତଙ୍କ ମେଳରେ ଜୟଶ୍ରୀରାମ ନାରାରେ ଗୁଂଜରିତ ହୋଇଥିଲା ସାରାପରିବେଶ ।

ପ୍ରଭୁଙ୍କ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ଉତ୍ସବ ଭଳି ପାଳନ କରିଛି ବିଜେପିର ଓଡ଼ିଶା ଖାଖା । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା ଭବ୍ୟ କାର୍ଯ୍ୟକ୍ରମ । ବିଜେପି ସମର୍ଥକ, ରାମଭକ୍ତଙ୍କ ମେଳରେ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଧୁମଧାମରେ ପାଳନ କରାଯାଇଥିଲା । ଏହି ଅବସରରେ ପ୍ରଭୁଙ୍କ ରାମଚନ୍ଦ୍ରଙ୍କ ପ୍ରତିମୂର୍ତି ତିଆରି କରାଯାଇଥିଲା ।

ମହାପ୍ରଭୁଙ୍କ ଆଗମନକୁ ଯେମିତି ଚାହିଁ ରହିଥିଲେ ଶ୍ରଦ୍ଧାଳୁ । ଅଯୋଧ୍ୟା ଯାଇ ପ୍ରଭୁଙ୍କୁ ଦର୍ଶନ କରିବା ସମ୍ଭବ ହୋଇନଥିବାରୁ ଅନେକ ଲୋକ ଟିଭି ପରଦା ଆଗରେ ଚାହିଁ ରହିଥିଲେ । ଆଉ ଏପଟେ ସହରର ବିଭିନ୍ନ ସ୍ଥାନରେ ଶୁଭ କଳସ ଯାତ୍ରା ମାନ ବାହାରିଥିଲା । ଜଳାଶୟରୁ ପାଣି ଉଠାଇ ବିଭିନ୍ନ ଦେବାଳୟରେ ଅର୍ପଣ କରିଥିଲେ ଶ୍ରଦ୍ଧାଳୁ ।

ସୁବର୍ଣ୍ଣପୁର ସହରରୁ ଆସିଥିବା ଚିତ୍ର ଯେମିତି ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଛି । କୁନି କୁନି କଳାକାରମାନେ ମହାପ୍ରଭୁଙ୍କ ବେଶରେ ସଜେଇ ହୋଇ ସହର ପରିକ୍ରମା କରିଥିଲେ । ଭଜନ କୀର୍ତନ ସାଙ୍ଗକୁ ଯେତେବେଳେ ମହାପ୍ରଭୁଙ୍କ ଶୋଭାଯାତ୍ରା ବାହାରୁଥିବା ଶ୍ରଦ୍ଧାଳୁମାନେ ପବିତ୍ର ଜଳରେ ପାଦ ଧୋଇ ମହାପ୍ରଭୁଙ୍କୁ ସ୍ୱାଗତ କରୁଥିଲେ ।

ମହାପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ବାଲିଗୁଡ଼ାରେ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ । ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ ବଜରଙ୍ଗବଲିଙ୍କ ଶୋଭାଯାତ୍ରା ବାହାରିଥିଲା । କୁହାଯାଏ, ଯେଉଁଠି ବି ପ୍ରଭୁ ରାମଙ୍କ ଚର୍ଚ୍ଚା ହୁଏ, ସେଇଠି ଥାନ୍ତି ବଜରଙ୍ଗବଲି ହନୁମାନ । ହନୁମାନ ଭକ୍ତମାନେ ବେଶ ଉତ୍ସାହର ସହ ବାଲିଗୁଡ଼ାରେ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପାଳନ କରିଥିଲେ ।