ରୁପେଲି ପରଦାର ସୁନେଲି ତାରକା: ଗୋଟିଏ ଠିକଣାରେ ଶହ ଶହ କଳାକାର

300

କନକ ବ୍ୟୁରୋ: ରାମଙ୍କ ପାଇଁ ଏକାଠି ହେଲେ ଶହ ଶହ କଳାକାର । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଛନ୍ତି ବଲିଉଡ୍ କଳାକାରଠାରୁ ଆରମ୍ଭ କରି ସାଉଥ ସୁପରଷ୍ଟାର୍ । ଷ୍ଟାରଡମ୍ ତଥା ଲୋକପ୍ରତିୟତାକୁ ପଛରେ ପକାଇ, ଶ୍ରୀରାମଙ୍କ ଦ୍ୱାରରେ ସାଧାରଣ ଭକ୍ତଟିଏ ହୋଇ ଭଗବାନଙ୍କ ଦର୍ଶନ ପାଇଁ ଧାଇଁ ଆସିଛନ୍ତି ।

ରୁପେଲି ପରଦାର ସୁନେଲି ତାରକା । ଗୋଟିଏ ଠିକଣାରେ ଶହ ଶହ କଳାକାର । କିଏ ବଲିଉଡ୍ କଳାକାର, ତ’ ଆଉ କିଏ ସାଉଥ ସୁପରଷ୍ଟାର୍ । କିନ୍ତୁ ଷ୍ଟାରଡମ୍୍ ତଥା ଲୋକପ୍ରତିୟତାକୁ ପଛରେ ପକାଇ, ଶ୍ରୀରାମଙ୍କ ଦ୍ୱାରରେ ସାଧାରଣ ଭକ୍ତଟିଏ ହୋଇ ଭଗବାନଙ୍କ ଦର୍ଶନ ନେଇ ଧାଇଁ ଆସିଛନ୍ତି । ପାରମ୍ପରିକ ପୋଷାକ, ଭାରତୀୟ ବେଶ, ସେତେ ଯେମିତି ପରଦାରୁ ଅଭିନୟରୁ ବାହାରି ଆସି, ଶ୍ରୀରାମଙ୍କ ସରଣାପନ୍ନ ହୋଇଛନ୍ତି ।

ସୁପରଷ୍ଟାର ଅମିତାଭ ବଚ୍ଚନଙ୍କଠୁ ଆରମ୍ଭ କରି ମେଗାଷ୍ଟାର୍ ରଜନୀକାନ୍ତଙ୍କ ପର୍ଯ୍ୟନ୍ତ । ଚିରଞ୍ଜିବୀଙ୍କଠାରୁ ଆରମ୍ଭ କରି ମାଧୁରୀ ଦିକ୍ଷୀତ, ଅନୁପମ ଖେର, କଙ୍ଗନା ରାଣାୱତ, ରଣବୀର କପୁର, ଆଲିଆ ଭଟ୍ଟ, କ୍ୟାଟ୍ରିନାଙ୍କ ପର୍ଯ୍ୟନ୍ତ, ଅନେକ ତାରକା, ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଛନ୍ତି ।

କେବଳ ସିନେ ତାରକା କାହିଁକି, ବହୁ ଜଣାଶୁଣା ବ୍ୟକ୍ତିବିଶେଷ ରାମଲାଲଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ । ଅମ୍ବାନୀ ପରିବାର, ଟାଟା ଗ୍ରୁପର ବହୁ ବରିଷ୍ଠ ଅଧିକାରୀ, ବିଶ୍ୱବ୍ୟାପି ପରିଚିତ ଆଧ୍ୟାତ୍ମିକ ଗୁରୁ ସାମିଲ୍ ହୋଇଥିଲେ । ମୁକେଶ ଅମ୍ବାନୀ ପରିବାର ସଦସ୍ୟ ଏବଂ ବରିଷ୍ଠ ବ୍ୟବସାୟୀ ପରିବାରଙ୍କ ସହ ଯୋଗଗୁରୁ ବାବା ରାମଦେବ, ବାଗେଶ୍ୱର ଧାମ ମୁଖ୍ୟ ବାଗେଶ୍ୱର ବାବା ପ୍ରମୁଖ ସାମିଲ ହୋଇଥିଲେ ।

ଏହାରି ଭିତରେ ମନ୍ତ୍ରମୁଗ୍ଧ କରିଥିଲା ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ଶ୍ରୁତି ମଧୁର ଗୀତ । ପ୍ରଭୁଙ୍କ ଆଗମନରେ କଣ୍ଠଶିଳ୍ପୀ ଗାଇଥିବା ଗୀତ ମନ୍ଦିର ପରିସରରେ ଅଧିକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ବିଶିଷ୍ଠ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ, ଶଙ୍କର ମହାଦେବନ, ସୋନୁ ନିଗମ, କୈଳାସ ଖେରଙ୍କ ସମେତ ଅନେକ ଜଣାଶୁଣା କଣ୍ଠଶିଳ୍ପୀଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟ ଭଜନ ପରିବେଷଣ କରିଥିଲେ ।