ସିଇଓ ମା’ର ସାଂଘାତିକ ଅପରାଧ । ହୋଟେଲ ରୁମରେ ପୁଅକୁ ହତ୍ୟା । ଶବକୁ ଧରି ଗୋଆରୁ ଗଲା କର୍ଣ୍ଣାଟକ

1,852

କନକ ବ୍ୟୁରୋ: କର୍ଣ୍ଣାଟକରୁ ଆସିଛି ଛାତିଥରା ହତ୍ୟା ମାମଲା । ପିଶାଚୀ ସାଜିଲା ମା’ । ୪ ବର୍ଷର କୁନି ପୁଅକୁ ହତ୍ୟା କଲା ମା’ । ପୁଅକୁ ଗୋଆ ବୁଲାଇ ଆଣି ହତ୍ୟା କରିବା ଘଟଣା ଏବେ ଚାଂଚଲ୍ୟ ସୃଷ୍ଟି କରିଛି । ସବୁଠୁ ବଡ କଥା ହେଉଛି ଅଭିଯୁକ୍ତ ମା’ ଜଣେ ଜଣାଶୁଣା ତଥା ଶିକ୍ଷିତ ଚେହେରା । କର୍ଣ୍ଣାଟକର ଏକ ଷ୍ଟାଟଅଫ କମ୍ପାନୀ ଏଆଇ-ଲ୍ୟାବର ସହ ପ୍ରତିଷ୍ଠାତା ଓ ସିଇଓ ।

ନାଁ ସୂଚନା ସେଠ । ବୟସ ୩୯ବର୍ଷ । ଶନିବାର ପୁଅକୁ ନେଇ ଗୋଆ ଯାଇଥିଲେ । ସମୁଦ୍ର ନିକଟ ଏକ ହୋଟେଲରେ ରହିଥିଲେ । ସୂଚନା ଅନସାରେ ସୋମବାର ହୋଟେଲ ରୁମ ଛାଡିଥିଲେ ସୂଚନା । ଯିବା ସମୟରେ ସାଥୀରେ ପୁଅକୁ ଦେଖିବାକୁ ପାଇନଥିଲେ ହୋଟେଲ କର୍ମଚାରୀ । ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇନଥିଲେ ସୂଚନା । ସନ୍ଦେହ ପ୍ରକାଶ କରିଥିଲେ ହୋଟେଲ କର୍ମଚାରୀ । ପରେ ସୂଚନା ରହୁଥିବା ରୁମରେ ରକ୍ତଛିଟା ପଡିଥିବା ଦେଖି ଗୋଆ ପୁଲିସକୁ ତଥ୍ୟ ଦେଇଥିଲେ କର୍ମଚାରୀ । ସମସ୍ତଙ୍କୁ ଚକମା ଦେଇ କର୍ଣ୍ଣାଟକ ଯାଉଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ କସରତ ଆରମ୍ଭ କରିଥିଲା ଗୋଆ ପୁଲିସ । ବେଙ୍ଗାଲୁରୁରୁ ପହଁଚିବା ପୂର୍ବରୁ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ ।

ହୋଟେଲ କର୍ମଚାରୀଙ୍କ ସୂଚନା ପାଇବା ପରେ ଟ୍ୟାକ୍ସିକୁ ଟ୍ରାକ କରିଥିଲା ଗୋଆ ପୁଲିସ । ଗାଡିକୁ ନିକଟସ୍ଥ ଥାନାକୁ ନେବାକୁ କହିବା ପରେ ମହିଳାଙ୍କୁ ନେଇ ପହଁଚିଥିଲେ ଡ୍ରାଇଭର । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ଲଗେଜ ବ୍ୟାଗ ଖୋଲିବା ପରେ ହତଚକିତ ହୋଇଥିଲେ ପୋଲିସ । କାରଣ ବ୍ୟାଗ ଭିତରୁ ମିଳିଥିଲା ରକ୍ତ ଜୁଡୁବୁଡ ପୁଅର ଶବ । କାହିଁକି ପୁଅକ ହତ୍ୟା କଲା ମା’? ହତ୍ୟା ପଛର ପ୍ରକୃତ କାରଣ କ’ଣ?ଏସବୁର ଖିଅ ଖୋଜୁଛି ପୁଲିସ । ଜେରା ସମୟରେ ସୂଚନା ସେଠ କହିଛନ୍ତି ନିଜ ପୂର୍ବତନ ସ୍ୱାମୀଙ୍କ ସହ ପୁଅ ଦେଖା କରିବାକୁ ଜିଦ ଧରୁଥିଲା । ଯାହାକୁ ସେ ବାରମ୍ବାର ବିରୋଧ କରୁଥିଲେ ସୂଚନା ସେଠ ଓ ଘଟଣା ଦିନ ପୁଅ ଜିଦ କରିବାରୁ ତାକୁ ହତ୍ୟା କରିଥିବା କହିଛନ୍ତି ।

ତେବେ ଦେଶର ଶ୍ରେଷ୍ଠ ଶହେ ଜଣ ଏଆଇ ଏଥିକ୍ସ ତାଲିକାରେ ରହିଛି ସୂଚନା ସେଠଙ୍କ ନାଁ । ଜଣେ ଦକ୍ଷ, କର୍ମଠ ଓ ପ୍ରତିଭାଶାଳୀ ସିଇଓ ଭାବେ ସ୍ୱତନ୍ତ୍ର ସ୍ଥାନ ବନାଇପାରିଛନ୍ତି । ଏବେ ଉଠୁଛି ପ୍ରଶ୍ନ ଏତେ ବଡ ପଦପଦବୀରେ ରହି କାହିଁକି ଓ କେଉଁ ପରିସ୍ଥିିତିରେ ଜନ୍ମକଲା ପୁଅକୁ ହତ୍ୟା କଲେ ସୂଚନା ସେଠ ।