କ୍ରୀଡ଼ା ଜଗତରେ ଉକ୍ରଷ୍ଟ ପ୍ରଦର୍ଶନ ପାଇଁ କ୍ରୀଡ଼ାବିତଙ୍କୁ ପୁରସ୍କାର ପ୍ରଦାନ । କ୍ରିକେଟର ମହମ୍ମଦ ସାମୀଙ୍କ ସମେତ ୨୬ଜଣଙ୍କୁ ଅର୍ଜୁନ ପୁରସ୍କାର

190

କନକ ବ୍ୟୁରୋ: ଅର୍ଜୁନ ପୁରସ୍କାର ପାଇଲେ ଭାରତୀୟ କ୍ରିକେଟର ମହମ୍ମଦ ସାମି । ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି ମହମ୍ମଦ ସାମି । ୨୦୨୩ ବିଶ୍ୱକପରେ ଚମକ୍ରାର ପ୍ରଦର୍ଶନ ଲାଗି ବିସିସିଆଇ ପକ୍ଷରୁ ମହମ୍ମଦ ସାମିଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଥିଲା ।

  • ମହମ୍ମଦ ସାମିଙ୍କୁ ‘ଅର୍ଜୁନ’ ସମ୍ମାନ
  • ଦୁଇ ବ୍ୟାଡମିଣ୍ଟନ ଖେଳାଳି ପାଇଲେ ଖେଳରତ୍ନ

ବିଶ୍ୱକପରେ ମୋଟ ୭ଟି ମ୍ୟାଚରେ ୨୪ଟି ୱିକେଟ ନେଇଥିଲେ ସାମି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସର୍ବାଧିକ ୭ଟି ୱିକେଟ ନେଇଥିଲେ ଏହି ଭାରତୀୟ ବୋଲର । କ୍ରିକେଟ ଜଗତରେ ଏହି ଉକ୍ରୃଷ୍ଟ ପ୍ରଦର୍ଶନ ଲାଗି ତାଙ୍କୁ ଅର୍ଜନ ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୩ରେ ଭାରତ ପାଇଁ ଡେବ୍ୟୁ କରିଥିବା ମହମ୍ମଦ ସାମି କ୍ୟାରିୟରରେ ବର୍ତମାନ ପର୍ଯ୍ୟନ୍ତ ୬୪ଟି ଟେଷ୍ଟ, ୧୦୧ଟି ଦିନିକିଆ ଏବଂ ୨୩ଟି ଟି-୨୦ ମ୍ୟାଚ ଖେଳି ୪୪୮ଟି ୱିକେଟ ନେଇସାରିଛନ୍ତି । ଅର୍ଜୁନ ପୁରସ୍କାର ପାଇବା ସମସ୍ତଙ୍କ ଭାଗ୍ୟରେ ଜୁଟି ନଥାଏ, ଏହା ମୋ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ମହମ୍ମଦ ସାମି ।

  • ସାମିଙ୍କ ସମେତ ୨୬ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର
  • ପୁରସ୍କାର ବିଜେତାଙ୍କୁ ଚାରିଆଡୁ ଶୁଭେଛାର ସୁଅ

ବ୍ୟାଡମିଣ୍ଟନ ଖେଳାଳି ଚିରାଗ ସେଟ୍ଟୀ, ସାତ୍ୱିକ ସାଇରାଜ, ରେଙ୍କି ରେଡ୍ଡିଙ୍କୁ କ୍ରୀଡା ଜଗତର ସର୍ବୋଚ୍ଚ ସମ୍ମାନ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଉଭୟ ଯୋଡି ୨୦୨୩ ଏସିଆନ ଗେମରେ ଦେଶପାଇଁ ବ୍ୟାଡମିଣ୍ଟନରେ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିବାରେ ସକ୍ଷମ ହୋଇଥିଲେ । ସେହିପରି ଏସିଆନ ଚମ୍ପିୟାନସିପ୍ ଏବଂ ଇଣ୍ଡୋନେସିଆ ଓପନ ସୁପର ଟାଇଟଲ ମଧ୍ୟ ହାସଲ କରିଛନ୍ତି । ସାମି, ଚିରାଗ, ସାତ୍ୱିକ ସାଇରାଜଙ୍କ ବ୍ୟତୀତ କ୍ରୀଡା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଅନ୍ୟ ୨୩ଜଣ କ୍ରୀଡାବିତଙ୍କୁ ମଧ୍ୟ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି ।