ଦକ୍ଷିଣ ଓଡିଶାରେ ଜାରି ରହିଛି ବର୍ଷା ବିତ୍ପାତ: ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

161

କନକ ବ୍ୟୁରୋ: ମୋଟୁ ଜାତୀୟ ରାଜପଥରେ ଚିନା ଗୋଦାବରୀ ନଦୀର ପାଣି ମାଡି ଆସିଛି । ଆଉ କିଲୋମିଟର କିଲୋମିଟର ରାସ୍ତା ବନ୍ୟା ପାଣିରେ ବୁଡି ଥିବା ବେଳେ ଯାତ୍ରୀବାହି ବସ ପାରି ହେଉଛି । ବିପଦସଙ୍କୁଳ ଅବସ୍ଥାରେ ଆନ୍ଧ୍ରର ଯାତ୍ରୀବାହି ଓ ଟ୍ରକ ପାରି ହେଉଛନ୍ତି । ଚିନାଗୋଦାବରୀ ନଦୀ ଓ ସାବେରୀ ନଦୀ ଫୁଲୁ ଥିବାରୁ ମାଲକାନଗିରିରୁ ଦକ୍ଷିଣ ଭାରତ ଓ ମାଲକାନଗିରିରୁ ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ରାସ୍ତା ଉପରେ ଗାଡିର ଲମ୍ବା ଧାଡି ଦେଖିବାକୁ ମିଳିଛି ।

ବ୍ରିଜ ନିର୍ମାଣ କାମ ଚାଲିଥିଲା ବେଳେ ଇନ୍ଦ୍ରାବତୀ ନଦୀରେ ମାଡି ଆସିଲା ବର୍ଷା ପାଣି । ହଠାତ୍ ପାଣି ମାଡି ଆସିବାରୁ କାମ କରୁଥିବା ୧୨ ଜଣ ଶ୍ରମିକ ଫସି ଯାଇଥିଲେ । ନବରଙ୍ଗପୁର ଜିଲ୍ଲା କୋଷାଗୁମଡା ବ୍ଲକର ଚିର୍ମା ବ୍ରିଜ ନିକଟରେ ଆଉ ଏକ ନୂତନ ବ୍ରିଜ ନିର୍ମାଣ ଚାଲିଥିବା ବେଳେ ଜଳବନ୍ଦୀ ହୋଇଯାଇଥିଲେ ଶ୍ରମିକ । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।

ସେପଟେ କୋରାପୁଟ ଜିଲ୍ଲା ବୈପାରୀଗୁଡାରୁ ଆସିଛି ଅଘଟଣର ଖବର । କାଞ୍ଜିଆ ଗାଁରେ ଜଣେ ୬୫ ବର୍ଷୀୟ ବୃଦ୍ଧା ମାଙ୍କଡଯୋଡି ନଦୀ ପାରି ହେବା ବେଳେ ହଠାତ ପାଣି ବଢିଯିବାରୁ ଭାସିଯାଇ ପ୍ରାଣ ହରାଇଛନ୍ତି । ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ହରଭଙ୍ଗି ନଦୀରେ ଜଳର ସ୍ତର ବଢିବାରୁ ମୋହନାକୁ ସଂଯୋଗ କରୁଥିବା ବାଢେଇପୁର ଗାଁରୁ ନେଇ ଗୁଣ୍ଡ୍ରିଗୁଡା ସମେତ ୪ଟି ଗାଁକୁ ଯୋଗଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ଗୁଣ୍ଡ୍ରିଗୁଡା ଗାଁର ଜଣେ ଗୁରୁତର ଯୁବକଙ୍କୁ ନଦୀରେ ପାଣି ଅଧିକ ଥିବାରୁ ମେଡିକାଲ ନିଆଯାଇପାରିଲା ନାହିଁ । ଚିକିତ୍ସା ଅଭାବରୁ ଗାଁରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି ।

ଖବର ବାଜିବା ପରେ ତିଆରି ହେଲା ଅସ୍ଥାୟୀ ପୋଲ । ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ତୁଲସୀ ପଦର ଗାଁରେ ଅସ୍ଥାୟୀ ପୋଲ ତିଆରି କରିଛନ୍ତି ସ୍ଥାନୀୟ ସରପଂଚ । ତୁଳସୀପଦର ଗାଁରେ ଝାଡାବାନ୍ତି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଯାଉଥିବା ସ୍ୱାସ୍ଥ୍ୟ ବିଭାଗର ଟିମ ନଈରେ ପାଣି ଅଧିକ ଥିବାରୁ ଯାଇପାରିନଥିଲେ । ଏନେଇ ଖବର ପ୍ରସାରିତ ହେବା ପରେ ସରପଂଚ ଚନ୍ଦ୍ର ଧ୍ୱଜ ମାଝୀ ଅସ୍ଥାୟୀ ପୋଲ ତିଆରି କରିଛନ୍ତି । ଆଉ ଡାକ୍ତରୀ ଦଳ ଗାଁକୁ ଯାଇ ଲୋକଙ୍କ ଚିକିତ୍ସା କରିଛନ୍ତି ।

କୋଣାର୍କରେ ରାସ୍ତା ଖାଉଛି ସମୁଦ୍ର । ପ୍ରବଳ ବର୍ଷା ଯୋଗୁଁ ସମୁଦ୍ର ଜୁଆର କୂଳରେ ମାଡ ହେଉଛି । ଫଳରେ ବେଳାଭୂମି ନିକଟରେ ଥିବା ରାସ୍ତା ଧୋଇଯିବାରେ ଲାଗିଛି । ଏପରିକି ପର୍ଯ୍ୟଟକଙ୍କ ଭିଡ଼ ରହୁଥିବା ଇକୋ ରିଟ୍ରିଟ ରାସ୍ତାର କିଛି ଅଂଶ ଧୋଇଯାଇଛି । ନିକଟରେ ଥିବା ସୁରକ୍ଷା ପ୍ରାଚୀର ମଧ୍ୟ ଭୁଷୁଡ଼ି ପଡ଼ିଛି । ସମୁଦ୍ର ଅଶାନ୍ତ ହୋଇଥିବାରୁ ୫ରୁ ଅଧିକ ଉପକୂଳବର୍ତୀ ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି ।

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ସେପଟେ ବରଗଡ, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୁର୍ବାନୁମାନ କରି ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବୁଧବାର ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।