୨ ବର୍ଷରେ ଆରଜେଡି ସହ ମେଂଟ ଭାଙ୍ଗିଥିଲେ: କେତେ ଭରସାଯୋଗ୍ୟ ନୀତିଶଙ୍କ ମେଂଟ?

101

କନକ ବ୍ୟୁରୋ: ବିହାର ଜେଡିୟୁ ପାର୍ଟି ଅଫିସରେ ଲାଗିଥିବା ପୋଷ୍ଟରରେ ଲେଖା ହୋଇଛି ‘ନୀତିଶ ସବକେ ସାଥ ହେଁ’ । ଅର୍ଥାତ୍ ସମସ୍ତଙ୍କ ସହିତ ରହିଛନ୍ତି ନୀତିଶ । ଆରଜେଡି ସହ ସରକାର ଗଢିବାକୁ ଯାଉଛନ୍ତି ନୀତିଶ । ଏହାପରେ ପାର୍ଟି ଅଫିସ ବାହାରେ ଏଭଳି ଏକ ପୋଷ୍ଟର ଲାଗିଛି । ବିଜେପି ସହିତ ମେଣ୍ଟ ଭାଙ୍ଗି ୨୦୧୫ ଶୈଳୀରେ ସରକାର ଗଢିବାକୁ ଯାଉଛନ୍ତି ନୀତିଶ କୁମାର । ଆଉ ଏହି ପଟ୍ଟ ପରିବର୍ତ୍ତନକୁ ଦେଖିଲେ ନୀତିଶ ସତରେ ସମସ୍ତ ରାଜନୈତିକ ଦଳଙ୍କ ସହିତ ରହିଛନ୍ତି ବୋଲି କୁହାଯାଉଛି ।

ତେବେ ବିଧାନସଭା ସମୀକରଣ କିଛି ଏହିଭଳି ଥିଲା । ବିଜେପି ସହିତ ମେଣ୍ଟ ବେଳେ ବିଜେପି ପାଖରେ ସର୍ବାଧିକ ବିଧାୟକ ଥିଲେ । କିନ୍ତୁ ବିଜେପି ମୁଖ୍ୟମନ୍ତ୍ରୀ ଆସନ ନୀତିଶଙ୍କୁ ଦେଇଥିଲା । କିନ୍ତୁ କେନ୍ଦ୍ରର ଶାସକ ଦଳ ବିଜେପି ଜେଡିୟୁକୁ ଦୁର୍ବଳ କରିବାକୁ ପ୍ରୟାସ କରୁଥିବା ଅଭିଯୋଗ ଆଣିଛି ଜେଡିୟୁ । ଆଉ ମେଂଟ ଭାଙ୍ଗିଛି । ଏବେ ନୂଆ ସମ୍ଭାବ୍ୟ ମେଂଟ ହେଲେ ଆରଜେଡିର ବିଧାୟକ ସଂଖ୍ୟା ଅଧିକ ରହିଛି ।

ଲାଲୁଙ୍କ ଘରେ ବୈଠକରେ କଂଗ୍ରେସ ପ୍ରଭାରୀ ଭକ୍ତ ଦାସ, ନୀତିଶ କୁମାର, ତେଜସ୍ୱୀ ଯାଦବ ପରସ୍ପରକୁ ଅଭିବାଦନ ଜଣାଉଛନ୍ତି । ଘର ବାହରେ ତେଜସ୍ୱୀ ଯାଦବ, ବଡ ଭାଇ ତେଜପ୍ରତାପ ଯାଦବ, ପଛରେ ନୀତିଶ କୁମାର ଏକା ସାଙ୍ଗରେ ରହିଛନ୍ତି । ୨୦୧୭ର କଥାକୁ ଭୁଲି ଆଗକୁ ବଢିବାକୁ ଦୁଇ ଦଳର ନେତା ନିଷ୍ପତି ନେଇଥିବା ସୂଚନା ରହିଛି । ସେପଟେ କ୍ଷମତା ଯିବା ପରେ ବିଜେପି କହିଛି ନୀତିଶ କୁମାର ଜନାଦେଶକୁ ଧୋକା ଦେଇଛନ୍ତି । ତେବେ ଲୋକଜନଶକ୍ତି ପାର୍ଟି ବିଜେପି ସହ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି ମୁଖ୍ୟ ପଶୁପତି ପାରଶ ।

ବିହାରରେ ମୋଟ ସିଟ୍ ସଂଖ୍ୟା-୨୪୩
ବହୁମତ ପାଇଁ ଦରକାର-୧୨୨
ଥିଲା ସମ୍ଭାବନା
ବିଜେପି-୭୪ ଆରଜେଡି-୭୯
ଜେଡିୟୁ-୪୩ ଜେଡିୟୁ-୪୫
ଭିଆଇପି- ୪ କଂଗ୍ରେସ- ୧୯
ଏଚଏଏମ- ୪ ବାମ ଦଳ- ୧୬
ଅନ୍ୟାନ୍ୟ- ୧
ଏଚଏଏମ- ୪
ମୋଟ- ୧୨୫ ମୋଟ- ୧୬୦

ପୂର୍ବରୁ ମାର୍ଚ୍ଚ ୩, ୨୦୦୦ରେ ଯଦିଓ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ନୀତିଶ କୁମାର । ଏହାପରେ ନଭେମ୍ବର ୨୪, ୨୦୦୫ରୁ ୨୦ ମେ ୨୦୧୪ ଯାଏ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ୨୦୧୪ରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୁଖ୍ୟମନ୍ତ୍ରୀ ଆସନ ଛାଡି ଦେଇଥିଲେ । ୨୦୧୫ ବିଧାନସଭା ନିର୍ବାଚନ ପରେ ଆରଜେଡି ଏବଂ ଅନ୍ୟ ଦଳ ସହ ମିଶି ସରକାର ଗଢିଥିଲେ ନୀତିଶ । ପରେ କ୍ଷମତାକୁ ନେଇ ମନାନ୍ତର ପରେ ଆରଜେଡିଠୁ ଦୂରେଇ ଯାଇ ପୁଣି ବିଜେପି ସହ ମିଶି ସରକାର ଗଢିଥିଲେ ନୀତୀଶ କୁମାର । ପରେ ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ସହ ଜେଡିୟୁ ମିଶି ସରକାର ଗଢିବାର ୨୦ ମାସ ପରେ ନୀତିଶ ଆରଜେଡି ସହ ମିଶି ସରକାର ଗଢିବାକୁ ଯାଉଛନ୍ତି ।

ବିହାରରେ ବଦଳୁଥିବା ରାଜନୀତିକ ପରିବର୍ତ୍ତନରେ କେନ୍ଦ୍ରରେ ରହିଛନ୍ତି ନୀତିଶ କୁମାର ।
ଛକାପଞ୍ଜା ଭିତରେ ନୀତିଶ କେବେ ଆରଜେଡି ତ ଆଉ କେବେ ବିଜେପି ସହ ମିଶି ସରକାର ଗଢୁଛନ୍ତି । ଏପରି ସ୍ଥିତିରେ ନୀତିଶଙ୍କ ଏହି ମେଣ୍ଟକେତେ ଦିନ ଯିବ ତାହା ମଧ୍ୟ ଗ୍ୟାରେଣ୍ଟି ଦେବା ମୁସକିଲ ।