ଓଡ଼ିଶା ଗସ୍ତର ଶେଷ ଦିନରେ ସମ୍ବଲପୁର ଯିବେ ମହାମହିମ । ମଧ୍ୟାହ୍ନରେ ସନ୍ଥକବି ଭୀମଭୋଇଙ୍କ ପୀଠ ବୁଲିବେ ରାଷ୍ଟ୍ରପତି । ପରେ ମହିମା ଭକ୍ତ ଓ ସାଧାରଣ ଜନତାଙ୍କୁ ଦେବେ ଉଦବୋଧନ ।

181

କନକ ବ୍ୟୁରୋ: ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶେଷ ଦିନରେ ସମ୍ବଲପୁର ଗସ୍ତ କରିବେ । ସକାଳ ୧୦ଟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ବାୟୁସେନାର ହେଲିକପ୍ଟର ଯୋଗେ ରେଢ଼ାଖୋଲ ଯିବେ । ପୂର୍ବାହ୍ନ ୧୧ଟା ୫ରେ ରେଢାଖୋଲର କଦଳୀଗଡ଼ ହାଇସ୍କୁଲ ଖେଳ ପଡ଼ିଆରେ ପହଞ୍ଚିିବେ ରାଷ୍ଟ୍ରପତି । ସେଠାରୁ ବାହାରି ମୁଧୁପୁର ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ଆବିର୍ଭାବ ପୀଠ ମଧୁପୁର ଯିବେ । ଯେଉଁଠାରେ ସନ୍ଥକବିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ, ଚଉଷଠି ସିଦ୍ଧ ଆଶ୍ରମ ଯାଇ ସେଠାରେ ଧ୍ୱନି ମଣ୍ଡପ ଦର୍ଶନ କରିବେ ମହାମହିମ । ପରେ ସନ୍ଥକବିଙ୍କ ଜ୍ଞାନପ୍ରାପ୍ତି ପୀଠ କନ୍ଧରା ଓ ପରେ ବାଲ୍ୟକାଳ କଟିଥିବା କାଙ୍କଡପଡା ଯିବେ ରାଷ୍ଟ୍ରପତି ।

ମଧୁପୁରରେ ଦିନ ୧୧ଟା ୩୦ରୁ ୧୧ଟା ୫୦ ଯାଏଁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । ପରେ କନ୍ଧରାରେ ୧୨ଟା ୫ରୁ ୧୨ଟା ୨୫ ଯାଏଁ କାର୍ଯ୍ୟକ୍ରମ ରହିଛି । ସେଠାରୁ ରାଷ୍ଟ୍ରପତି କାଙ୍କଣପଡା ଆଶ୍ରମ ଯିବେ । ପରେ ରେଢାଖୋଲ ମିନି ଷ୍ଟାଡିୟମରେ ମହିମା ଭକ୍ତ ଓ ସାଧାରଣ ଜତନାଙ୍କୁ ଉଦବୋଧନ ଦେବେ ରାଷ୍ଟ୍ରପତି । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରେଢାଖୋଲ ଓ କଦଳୀଗଡ଼ାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଅପରାହ୍ନ ୫ଟା ୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦିଲ୍ଲୀ ଫେରିଯିବେ ମହାମହିମ ।