କନକ ବ୍ୟୁରୋ : ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକା ଜାରି କରିବା ପରେ ଏବେ ଦୁଇଟି ନାଁକୁ ନେଇ ଚର୍ଚ୍ଚା । ଈଶାନ କିଷାନ ଓ ଶ୍ରେୟସ ଆୟାର । ଫିଟ୍ ଥାଇ ମଧ୍ୟ ଘରୋଇ କ୍ରିକେଟ ନ ଖେଳିବା ଏହି ଦୁଇ ଭାରତୀୟ କ୍ରିକେଟରଙ୍କୁ ମହଙ୍ଗା ପଡ଼ିଛି । ଉଭୟଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେଇଛି ବିସିସିଆଇ । ଘରୋଇ କ୍ରିକେଟ ଖେଳିବା ନିର୍ଦ୍ଦେଶକୁ ଅବମାନନା କରିଥିବାରୁ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ । ତେବେ ବିିସିସିଆଇର ଏଭଳି କଠୋର ପଦକ୍ଷେପକୁ କିଛି ଜଣ ସମର୍ଥନ କରିଥିବା ବେଳେ ଅନେକ ପୂର୍ବତନ କ୍ରିକେଟର ଏହାକୁ ନାପସନ୍ଦ କରିଛନ୍ତି ।
ଆୟର ଓ ଈଶାନଙ୍କ ବିରୋଧରେ ଯଦି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହାଲେ ଅନ୍ୟମାନଙ୍କ କ୍ଷେତ୍ରରେ ବିସିସିଆଇ କାହିଁକି ଚୁପ ରହୁଛି ବୋଲି ପୂର୍ବତନ ଭାରତୀୟ କ୍ରିକେଟର ମାନେ ପ୍ରଶ୍ନ କରିଛନ୍ତି । ରୋହିତ ଶର୍ମା, ବିରାଟ କୋହଲି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଘରୋଇ କ୍ରିକେଟ ଖେଳିବାକୁ ନିର୍ଦ୍ଦେଶ ଦେବାକୁ ସୌରଭ ଗାଙ୍ଗୁଲି, ଇରଫାନ ପଠାନ ଓ କିର୍ତୀ ଆଜାଦଙ୍କ ଭଳି ଖେଳାଳି ବିସିସିଆଇକୁ ଆହ୍ୱାନ କରିଛନ୍ତି । ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ବଦଳରେ ଏବେ ଆଇପିଏଲକୁ ଅଗ୍ରାଧିକାର ଦିଆଯାଉଛି । ଘରୋଇ କ୍ରିକେଟ ଖେଳିବା ଦ୍ୱାରା ଖେଳାଳିଙ୍କ ପ୍ରତିଭା ଶାଣିତ ହୋଇଥାଏ ବୋଲି ମତ ରଖିଛନ୍ତି ପୂର୍ବତନ କ୍ରିକେଟର ।