ଆସ୍କାରେ ନିର୍ବାଚନ ପରବର୍ତ୍ତୀ ହିଂସା: ଯୁବକଙ୍କୁ ପିଟି ପିଟି ମାରିଦେଲେ

322

କନକ ବ୍ୟୁରୋ: ଗଂଜାମ ଆସିକାରେ ନିର୍ବାଚନୀ ହିଂସା । ବଡ଼ଗଡ଼ ଥାନାର ସୁଣ୍ଢିପଲ୍ଲୀ ଗାଁରେ ଏହି ହିଂସା ଦେଖିବାକୁ ମିଳିଛି । ଗାଁର କଂଗ୍ରେସ କର୍ମୀ ମିଟୁ ବିଶୋୟୀଙ୍କୁ ବିଜେଡି କର୍ମୀ କାଳୁ ନାୟକ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରିକି ମିଟୁଙ୍କ ମୁଣ୍ଡ ଓ ଗୋଡ଼କୁ ହଣା ଯାଇଥିବା ଦାଗ ରହିଛି । ମିଟୁଙ୍କ ମା ଘଟଣାସ୍ଥଳରେ ପହଂଚିଥିଲେ କିନ୍ତୁ ତାଙ୍କୁ ମଧ୍ୟ କାଳୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି । କୁହାଯାଉଛି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ମୃତ ପୁଅର ଗୋଡକୁ ଧରି କାନ୍ଦୁଛି ମାଆ । ଆଉ ମୁଣ୍ଡକୁ ଆଉଁସି ଆଉଁସି କୋହ ସମ୍ଭାଳିପାରୁନାହାନ୍ତି ସ୍ତ୍ରୀ । ଇଏ ହେଉଛି ଧରାକୋଟ ବ୍ଲକ ବଡଗଡ ଥାନା ସୁଣ୍ଡିପଲ୍ଲୀ ଗାଁରେ ଦୃଶ୍ୟ । ନିର୍ବାଚନୀ ହିଂସାରେ ଯାଇଛି ଭେଣ୍ଡିଆ ପୁଅ ମିଟୁ ବିଷୋୟୀଙ୍କ ଜୀବନ । ମିଟୁଙ୍କ ମୁଣ୍ଡ ଓ ଗୋଡକୁ ହଣାଯାଇଥିବା ଦାଗ ରହିଛି ।

ମିଟୁ ମାଆଙ୍କ କହିବା ଅନୁସାରେ ୨୦୨୪ ସାଧାରଣ ନିର୍ବାଚନରେ ମିଟୁ କଂଗ୍ରେସ ସପକ୍ଷରେ ଥିଲେ । ୪ ତାରିଖରେ ଫଳାଫଳ ଆସିବା ପରେ ମିଟୁ ସହ ଅଭିଯୁକ୍ତ ବିଜେଡି କର୍ମୀ କାଳୁନାୟକ ପାଟିତୁଣ୍ଡ କରଥିଲେ । ଗତକାଲି ରାତିରେ ମିଟୁ ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇ ରକ୍ତାକ୍ତ କରିଦିଆଯାଇଥିଲା । ପରେ ବ୍ରହ୍ମପୁର ବଡ ମେଡିକଲାରେ ତାଙ୍କ ମୃତ୍ୟୁ ହୋଇଛି ।

ଘଟଣାସ୍ଥଳକୁ ଯିବା ପରେ ମିଟୁଙ୍କ ମାଆଙ୍କ ଉପରେ ଆକ୍ରମଣ ହୋଇଛି । ଠେଙ୍ଗା ଓ ଧାରୁଆ ଅସ୍ତ୍ରରେ ମିଟୁଙ୍କୁ ଆକ୍ରମଣ କରିବା ପରେ ଅଭିଯୁକ୍ତ କାଳୁ ନାୟକ ଘଟଣାସ୍ଥଳରୁ ପଳାଇଯାଇଥିଲା । ଗାଁରେ ପୁଲିସ ମୁତୟନ ହୋଇଛନ୍ତି । ରୋଜଗାରିଆର ପୁଅର ମୃତ୍ୟକୁ ନେଇ ପରିବାରର ପାଦତଳୁ ମାଟି ଖସିଯାଇଛି । ବଡଗଡ ପୁଲିସ ଅଭିଯୁକ୍ତ କାଳୁ ନାୟକଙ୍କୁ ଗିରଫ କରିଛି । ଘଟଣାର ତଦନ୍ତ ଜାରି ରହିଛି ।