୪ ଦଶନ୍ଧି ପରେ ହାଇଦ୍ରାବାଦ ଦେଖିବ ରୋଚକ ନିର୍ବାଚନୀ ଲଢ଼େଇ । ମାଧବୀ ଲତା ବନାମ ଅସଦୁଦ୍ଦିନ ୱବୈସୀ ଟକ୍କର

622

କନକ ବ୍ୟୁରୋ: ୨୪ ନିର୍ବାଚନ ହାଇଦ୍ରାବାଦ ପାଇଁ ବେଶ ରୋଚକ ହେବାକୁ ଯାଉଛି । ଦୀର୍ଘ ୪ ଦଶନ୍ଧି ଧରି ୱବୈସୀ ପରିବାର ନିଜାମ ଗଡ଼କୁ କବଜା ରଖିଥିବାବେଳେ ଏଥର ମିଳିବ କଡ଼ା ଟକ୍କର । ହିନ୍ଦୁତ୍ୱକାର୍ଡ ଖେଳି ବିଜେପି ମାଧବୀ ଲତାଙ୍କୁ କରିଛି ପ୍ରାର୍ଥୀ । କୁହାଯାଉଛି ୱବୈସୀଙ୍କ କିଲ୍ଲାରେ ମାଧବୀଙ୍କ ଏଟ୍ରିଂ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । କାରଣ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିବ କଠୋର ମୁସଲିମ ପ୍ରାର୍ଥୀ ବନାମ କଠୋର ହିନ୍ଦୁ ଚେହେରା ମଧ୍ୟରେ ଲଢ଼େଇ ।

ଅୱେସୀଙ୍କ ଗଡ଼ରେ ମାଧବୀ ଲତା

  • ମାଧବୀ ଲତା ଜଣେ କଠୋର ହିନ୍ଦୁତ୍ୱ ଚେହେରା
  • କର୍ଣ୍ଣାଟକରେ ଜନ୍ମିତ, ତେଲେଙ୍ଗାନାରେ ପାଠପଢ଼ା
  • ପେଶାରେ ଜଣେ ସମାଜସେବୀ, ନୃତ୍ୟଶିଳ୍ପୀ ଓ ବିିଭିନ୍ନ ସାଂସ୍କୃତିକ ସଂଗଠନ ସହ ଜଡିତ
  • ବିଶେଷ କରି ସ୍ୱାସ୍ଥ୍ୟ ଓ ଶିକ୍ଷାକ୍ଷେତ୍ରରେ କାମ ପାଇଁ ଚର୍ଚ୍ଚାରେ ରହିଛନ୍ତି
  • ସୋସିଆଲ ମିଡିଆ ଇନଫ୍ଲୁଏନସର
  • ଗୋଶାଳା ଚଳାଇବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନରେ ହିନ୍ଦୁତ୍ୱ ଉପରେ ଭାଷଣ ଦିଅନ୍ତି
  • ମାଧବୀ କୌଣସି ରାଜନୀତି ପରିବାରରୁ ଆସିନାହାଁନ୍ତି
  • ପୂର୍ବରୁ ଜଣେ ସକ୍ରିୟ ରାଜନେତ୍ରୀ ମଧ୍ୟ ନଥିଲେ ।
  • ତିନ୍ ତଲାକ ପ୍ରସଙ୍ଗରେ ତାଙ୍କ ଭୂମିକା ବେଶ ଚର୍ଚ୍ଚା ସାଉଁଟିଥିଲା
  • ମୁସଲିମ ମହିଳାଙ୍କ ଅଧିକାର ଲଢ଼େଇରେ ସାମିଲ ହୋଇ ଲୋକଲୋଚନକୁ ଆସିଥିଲେ

ଅନ୍ୟପଟେ ମାଧବୀ ଯାହାଙ୍କୁ ଟକ୍କର ଦେବାକୁ ଯାଉଛନ୍ତି ସେ ହାଇଦ୍ରବାଦର ଜଣେ ଟାଣୁଆ ନେତା ଅସଉଦ୍ଧିନ ୱବୈସୀ । ଯିଏକି ନିଜ ବୟାନ ପାଇଁ ସବୁବେଳେ ବିବାଦରେ ରୁହନ୍ତି ।

ୱବୈସୀ ବନାମ ମାଧବୀ

  • ଏଆଇଏମଆଇଏମ ମୁଖ୍ୟ ୱବୈସୀ ଜଣେ କଠୋର ମୁସଲିମ ଚେହେରା
  • ହିନ୍ଦୁ ବିରୋଧୀ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଅସଦୁଦ୍ଦିନ
  • ୱବୈସୀ ପରିବାରର ମୁଖ୍ୟ ଚେହେରା ହେଉଛନ୍ତି ଅସଦୁଦ୍ଦିନ
  • ୧୯୮୪ରୁ ଏଆଇଏମଆଇଏମ ହାଇଦ୍ରାବାଦ ଲୋକସଭା ଆସନରୁ ଜିତି ଆସୁଛି
  • ୱବୈସୀଙ୍କ ବାପା ସୁଲତାନ ସଲାଉଦ୍ଧିନ ଏହି ଆସନରେ ୬ଥର ଜିତିଥିଲେ ।
  • ଏହାପରଠୁ ଅସଦୁଦ୍ଦିନ ୱବୈସୀ ୪ଥର ଏକତରଫା ଜିତୁଛନ୍ତି
  • କେସିଆର ସରକାରରେ ୱବୈସୀଙ୍କ ଭାଇ ମନ୍ତ୍ରୀ ରହିଥିଲେ

ହାଇଦ୍ରାବାଦର ଗୋଟିଏ କଥା ହେଉଛି ଏଠାକାର ମୁସଲିମ ଭୋଟର ହିଁ ସର୍ବେସବା । ଇତିହାସ କହୁଛି କେବଳ ୮ ପ୍ରତିଶତ ମୁସଲିମ ଭୋଟର ହିଁ ବିଜେପିକୁ ଭୋଟ ଦେବା ରେକର୍ଡ ରହିଛି । ଏପରିକି ୭ଟି ବିଧାନସଭା ଆସନରୁ ୬ରେ ଏଆଇଏମଆଇଏମର କବଜା । ପ୍ରଶ୍ନ ଉଠୁଛି ମାଧବୀ ଲତା ଜଣେ ହିନ୍ଦୁ ଚେହେରା ତେଣୁ କିଭଳି ମୁସଲିମ ବହୁଳ ଆସନରେ ଭୋଟରଙ୍କୁ ଆକୃଷ୍ଟ କରିବେ ଓ ନିର୍ବାଚନ ଜିତିବେ । ସେପଟେ ହାଇଦ୍ରାବାଦରେ ଜଣେ କଠୋର ମୁସଲିମ ଚେହେରାଙ୍କ ବିପକ୍ଷରେ କଠୋର ହିନ୍ଦୁ ପ୍ରାର୍ଥୀ ମାଧବୀଙ୍କୁ ଓହ୍ଲାଇ ବିଜେପି ୱବୈସୀଙ୍କୁ କଡ଼ା ଟକ୍କର ଦେବାକୁ ଯାଉଛି ।

୨୦୧୯ରେ ଭାଗବତ ରାଓଙ୍କୁ ଟିକେଟ ଦେଇ ନିରାଶ ହୋଇଥିଲା ବିଜେପି । ଗତଥର ନିର୍ବାଚନରେ ୱବୈସୀଙ୍କୁ ୫ଲକ୍ଷ ୧୭ହଜାର ୪୭୧ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ଭାଗବତ ରାଓଙ୍କ ଖାତାକୁ ଆସିଥିଲା । କେବଳ ୨ଲକ୍ଷ ୩୫ହଜାର ୨୮୫ ଭୋଟ । ଯଦି ଅନ୍ୟ ଦିଗ ଉପରେ ନଜର ପକାଇବା ତେବେ ୧୦ବର୍ଷ ମଧ୍ୟରେ ହାଇଦ୍ରବାଦରେ ବିଜେପିର ଭୋଟ ସଂଖ୍ୟା ବଢ଼ିଛି । ୨୦୧୪ ଲୋକସଭା ନିର୍ବାଚନରେ ୭ ପ୍ରତିଶତ, ୨୦୧୩ ବିଧାନସଭା ନିର୍ବାଚନରେ ୧୫ ପ୍ରତିଶତ ଭୋଟ ପାଇଥିଲା । ଶେଷ ବିଧାନସଭା ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ୮ଟି ଆସନ କବଜା କରିଥିଲା । ଆଗକୁ ହାଇଦ୍ରାବାଦ ଲଢ଼େଇ କିଭଳି ରହୁଛି ତା ଉପରେ ସମସ୍ତଙ୍କ ନଜର ଅଟକିଛି ।