ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଆଇଆଇସି । ବସରେ ଘରକୁ ଫେରୁଥିବାବେଳେ ଧରିଲା ଭିଜିଲାନ୍ସ ।

574

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀ । ଏକ ଘରୋଇ ବସରେ ନିଜ ଘର କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ମାଡିବସିଛି ଭିଜିଲାନ୍ସ ଟିମ୍ । ବସରୁ ୨ ଲକ୍ଷ ୭୦ ହଜାର ଟଙ୍କା ବି ଜବତ ହୋଇଛି । ସେହିଭଳି ଚଢାଉ ବେଳେ ବୈପାରୀଗୁଡା ଥାନାରେ ଥିବା ସୁଶାନ୍ତଙ୍କ ଚାମ୍ବରରୁ ଲକ୍ଷେ ୮୦ ହଜାର ଜବତ ହୋଇଛି । ଘରୁ ଚଢାଉ ବେଳେ ୩ ଲକ୍ଷ ଜବତ ହୋଇଛି । ଏହିଭଳି ମୋଟ ସାଢେ ୭ ଲକ୍ଷ ଟଙ୍କାକୁ ଜବତ କରି ସିଜ କରିଛି ଭିଜିଲାନ୍ସ ଟିମ୍ ।

ତେବେ ଏତେ ଟଙ୍କା ବୈପାରୀଗୁଡା ଥାନା ଆଇଆଇସି କୁଆଡେ ନେଉଥିଲେ ଓ କାହିଁକି ନେଉଥିଲେ ତାହା ସନ୍ଦେହ ଘେରକୁ ଆସିଛି । ଏ ନେଇ ଥାନା ଅଧିକାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ । ବୈପାରୀଗୁଡା ଥାନାରେ ସେ ୫ ମାସ ହେଲା ଆଇଆଇସି ଭାବେ ଯୋଗଦେଇଥିଲେ । ବସ ଯୋଗେ ସେ କଟକ ଆସି କେନ୍ଦ୍ରାପଡା ଯାଇଥାନ୍ତେ । ଏଥିପାଇଁ ସେ ୫ ଦିନ ଛୁଟି ନେଇଥିଲେ । ଟଙ୍କା କୁଆଡୁ ଆସିଲା ତାର ସନ୍ତୋଷଜନକ ଉତର ଦେଇପାରିନାହାନ୍ତି ଆଇଆଇସି । ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି । ଏକମାସ ଧରି ସେ ଭିଜିଲାନ୍ସର ସ୍କାନରରେ ରହିଥିଲେ ।