ପରୀକ୍ଷା ଦେଉଛନ୍ତି, ହକି ବି ଖେଳୁଛନ୍ତି । ଖେଳ ଭିତରେ ଯୁକ୍ତ ଦୁଇ ପରୀକ୍ଷା ଦେଉଛନ୍ତି ହକି ତାରକା ସୁନେଲିତା ଟପ୍ପୋ ।

76

କନକ ବ୍ୟୁରୋ: ଗୋଟିଏ ପଟେ ଜାତୀୟ ଦଳର କର୍ତ୍ତବ୍ୟ, ଆଉ ଗୋଟିଏ ପଟେ ପାଠପଢ଼ା । ଦୁଇଟି କାମକୁ ସୁଚାରୁରୂପେ ତୁଲାଉଛନ୍ତି ଭାରତୀୟ ମହିଳା ହକି ତାରକା ସୁନେଲିତା ଟପ୍ପୋ । ବଡ଼ କଥା ହେଉଛି, ହକି ଖେଳିବା ସହ ଯୁକ୍ତ ଦୁଇ ପରୀକ୍ଷା ଦେଉଛନ୍ତି ସୁନେଲିତା । ଯୁକ୍ତ ଦୁଇ ପରୀକ୍ଷାର ପ୍ରଥମ ବିଷୟ ସାହିତ୍ୟରେ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ଦେବା ପରେ ସିଧାସଳଖ ଜାତୀୟ ଦଳରେ ଯୋଗ ଦେଇଛନ୍ତି ।

ବୟସ ହେଉଛି ମାତ୍ର ୧୮ ବର୍ଷ । ଆଉ ଏହି ବୟସରେ ଦୁଇ ଦୁଇଟି ବଡ଼ ଦାୟିତ୍ୱକୁ ସୁନେଲିତା ଯେଉଁଭଳି ଭାବେ ତୁଲାଉଛନ୍ତି, ତାହା ପ୍ରଶଂସାଯୋଗ୍ୟ । ସୁନେଲିତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କୁକୁଡ଼ା ଗ୍ରାମରେ । ପିଲାଦିନରୁ ହକି ପ୍ରତି ତାଙ୍କର ଯେତିକି ଆଗ୍ରହ ଥିଲା, ପାଠପଢ଼ାକୁ ନେଇ ମଧ୍ୟ ସେତିକି ଆଗ୍ରହ । ସୁନ୍ଦରଗଡ଼ ସାଇ କ୍ରୀଡ଼ା ଛାତ୍ରବାସରେ ହକି ପ୍ରଶିକ୍ଷଣ ନେବା ଏବଂ ପରବର୍ତ୍ତୀ ସମୟରେ ଜାତୀୟ, କନିଷ୍ଠ ଅନ୍ତର୍ଜାତୀୟ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିବାରୁ ପାଠପଢ଼ା ପ୍ରତି ଧ୍ୟାନ ଦେଇପାରିନଥିଲେ । କିନ୍ତୁ ମହିଳା ପ୍ରୋ-ଲିଗ୍ ହକିରେ ସେ ସିନିୟର ଦଳରୁ ପ୍ରତିନିଧିତ୍ୱ କରିବା ସହ ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ଦେଉଛନ୍ତି । ପରୀକ୍ଷା ଦେବା ପାଇଁ ତାଙ୍କ ହକି ଇଣ୍ଡିଆ ଠାରୁ ବିଧିବଦ୍ଧ ଅନୁମତି ମଧ୍ୟ ମିଳିଥିଲା । ତେବେ ପରୀକ୍ଷା ଦେବା ପରେ ସେ ସିଧାସଳଖ ଜାତୀୟ ଦଳରେ ଯୋଗ ଦେଇଥିଲେ । ସୁନେଲିତାଙ୍କ ଏଭଳି କାମ ଅନ୍ୟମାନଙ୍କ ପାଇଁ ବଡ଼ ଉଦାହରଣ ସୃଷ୍ଟି କରିଛି ।