ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ସଫେଇ କରୁଛନ୍ତି ବିଜେପି ନେତା: ଦେବଗଡର ଗୋପାଳଜୀ ମନ୍ଦିରରେ ସଫେଇ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

92

କନକ ବ୍ୟୁରୋ: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ସେତିକି ସରଗରମ୍ ହେବାରେ ଲାଗିଛି ରାଜ୍ୟ ରାଜନୀତି । ଆଉ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରତ୍ୟେକ ଦଳ ଆରମ୍ଭ କରିଦେଇଛନ୍ତି ଅଙ୍କ କଷା । ଏହାରି ଭିତରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି କରିଛି ନୂଆ ରଣନୀତି । ବିଜେପି ଫୋକସ୍ରେ ମହିଳା, ଯୁବ ଓ ନୂଆ ଭୋଟର । ମହିଳା ଭୋଟରଙ୍କ ସଂଖ୍ୟା ବଢାଇବା ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ । ଯାହାକୁ ନେଇ ଆଗାମୀ ଦିନରେ ଓଡିଶାରେ ଏକ ଜାତୀୟ ସ୍ତରୀୟ ମହିଳା ସମାବେଶ କରିବାକୁ ଯାଉଛି ବିଜେପି ।

ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଆଗମନ ହେବା ପୂର୍ବରୁ, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ, ଦେଶର ପ୍ରାୟ ୫ ଲକ୍ଷ ମନ୍ଦିର ସଜେଇ ହେଉଛି, ସଫେଇ ଚାଲିଛି । ମର୍ଯ୍ୟାଦାପୁରୁଷୋତମଙ୍କ ସ୍ୱାଗତ ପାଇଁ ଦେଶର ଦେବାଳୟ, ଶିବାଳୟ, ଶକ୍ତିିପୀଠ ସହ ତୀର୍ଥସ୍ଥଳ ଗୁଡ଼ିକରେ ଶ୍ରମଦାନ କରି ଝାଡ଼ୁ ପୋଛା କରୁଛି ବିଜେପି । ଏହି କ୍ରମରେ ଦେବଗଡ଼ ସହରର ଗୋପାଳଜୀ ମନ୍ଦିର ପରିଦର୍ଶନ କରିବା ସହ ସଫେଇ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ସଫେଇ ପାଇଁ ଶ୍ରମଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ୱଚ୍ଛ ତୀର୍ଥ ଅଭିଯାନ ଜରିଆରେ ଜାନୁୟାରୀ ୧୪ରୁ ୨୨ ଯାଏଁ ଚାଲିବ ଏହି ସଫେଇ ଅଭିଯାନ ।

ପ୍ରାୟ ୫ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟରେ ପ୍ରତିଷ୍ଠା ହେଉଛି ମହାପ୍ରଭୁ ରାମଚନ୍ଦ୍ରଙ୍କ ଦିବ୍ୟ ଓ ଭବ୍ୟ ମନ୍ଦିର । ଏହା ପୂର୍ବରୁ ଦେଶର ସମସ୍ତ ମନ୍ଦିରର ସଫେଇ କରାଯାଉଛି । ଏହି ଅଭିଯାନରେ ସାମିଲ୍ ହୋଇନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଭୁବନେଶ୍ୱର ରାମ ମନ୍ଦିରରେ ସଫେଇ କରିଛନ୍ତି ରାଜ୍ୟ ବିଜେପି ସଭାପତି । ବିଶ୍ୱ ହିନ୍ଦୁ ପରିଷଦ, ହିନ୍ଦୁ ସମାଜ, ବିଜେପି କର୍ମୀ ଓ ସାଧାରଣ ଜନତାଙ୍କ ମେଳରେ ଶ୍ରମ ଦାନ କରିଛନ୍ତି । ଏଭଳି କି ଏହି ସଫେଇ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ ସାମଲଙ୍କ ଭଳି ପୂର୍ବତନ ରାଜ୍ୟ ବିଜେପି ସଭାପତି, କନକବର୍ଦ୍ଧନ ସିଂଦେଓ ମଧ୍ୟ ମନ୍ଦିର ତଥା ଦେବାଳୟ ସଫେଇ ଅଭିଯାନରେ ଯୋଗ ଦେଇଛନ୍ତି । ପାଟଣାଗଡ଼ରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସଫେଇ କରିଛନ୍ତି କେ.ଭି ସିଂଦେଓ । ଦଳୀୟ କାର୍ଯ୍ୟକର୍ତାଙ୍କ ସହ ଯାଇ ଜଗନ୍ନାଥ ମନ୍ଦିରରେ ଝାଡ଼ୁ ପୋଛା କରିଛନ୍ତି । ଏହା ପୂର୍ବରୁ ସୋଲବନ୍ଦରେ ଥିବା ରାମମନ୍ଦିରର ସଫେଇ କରିଥିଲେ ପୂର୍ବତନ ବିଧାୟକ ।

ଆସନ୍ତା ୨୨ ତାରିଖରେ ରାମ ଜ୍ୟୋତି ପ୍ରଜ୍ୱଳନ ସହ ଏହି ଅଭିଯାନ ସରିବ । ଅନ୍ତିମ ଦିନରେ ଦୀପାବଳି ଭଳି ଉତ୍ସବ ପାଳନ କରିବାକୁ ବିଜେପି ଦେଶବାସୀଙ୍କୁ ଆହ୍ୱାନ ଦେଇଛି ।