ସଚେତନତା ସତ୍ତେ୍ୱ ମାନିଲେନି: ମନଇଚ୍ଛା ଉଡ଼ାଇଲେ ଗୁଡ଼ି, ମାଞ୍ଜା ସୂତା ଲାଗି ୨ ଆହତ

107

କନକ ବ୍ୟୁରୋ: ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । ହେଲେ ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହୃତ ମାଂଜା ସୂତା ଯେ କେତେ ମାରାତ୍ମକ, ତାହା ସମସ୍ତଙ୍କୁ ଜଣା । ଆଉ କମିଶନରେଟ୍ ପୁଲିସ ପକ୍ଷରୁ ମାଂଜା ସୂତା ବ୍ୟବହାର ନେଇ ବାରମ୍ବାର ସଚେତନ କରାଯାଉଥିଲେ ବି କିଛି ଅମାନିଆ ମାନିବାକୁ ଅରାଜି । ଆଉ ଏହାର ପରିଣାମ ସ୍ୱରୂପ ଅନେକେ ଆହତ ମଧ୍ୟ ହେଉଛନ୍ତି । ମାଂଜା ସୂତା ଲାଗି କଟକରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି । ଯାହା ପରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ କରାଯାଇଛି ।

ଚାଇନିଜ୍ ମାଂଜା ସୂତା ବ୍ୟବହାର ନକରିବାକୁ ବାରମ୍ବାର ସଚେତନ କରାଯାଉଛି । ହେଲେ ମାର୍କେଟ୍ରେ ବେଧଡ଼କ ମାଂଜା ସୂତା ବିକ୍ରି ହେଉଛି । ଗ୍ରାହକ ମଧ୍ୟ ଏହି ମାଂଜା ସୂତାରେ ଗୁଡ଼ି ଉଡ଼ାଇଛନ୍ତି । ପରିଣାମସ୍ୱରୂପ ଏହି ମାଂଜା ସୂତା ସାଧାରଣ ଲୋକଙ୍କ ପାଇଁ ଘାତକ ସାଜୁଛି । ମକର ସଂକ୍ରାନ୍ତିରେ କଟକରେ ବଡ଼ ଅଘଟଣ ହେଉ ହେଉ ଅଳ୍ପକେ ରହିଯାଇଛି । ରାସ୍ତାରେ ଗାଡ଼ି ଚଳାଉଥିବା ବେଳେ ଗୁଡ଼ି ସୂତା ଲାଗି ଦୁଇ ଜଣ ଆହତ ହୋଇଛନ୍ତି । ଜଣଙ୍କ ବେକରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କ ହାତ ପାପୁଲିରେ ଆଘାତ ଲାଗିଛି । ବାଇକ୍ରେ କଟକ ଯାଉଥିବା ବେଳେ ବାଲିକୁଦା ନିକଟରେ ଏହି ଅଘଟଣ ଘଟିଛି ।

ଗତ କିଛି ଦିନ ତଳେ କଟକରେ ଜଣେ ବ୍ୟକ୍ତିଙ୍କ ବେକରେ ମାଂଜା ସୂତା ଲାଗି ଆହତ ହୋଇଥିଲେ । ଆଉ ମକର ସଂକ୍ରାନ୍ତିରେ ଦୁଇଜଣ ଆହତ ହେବା ପରେ ତତ୍ପରତା ଦେଖାଇଛି ପୁଲିସ । ସାହି ସାହି ବୁଲି ମାଂଜା ସୁତାରେ ଗୁଡି ଉଡାଉଥିବା ବା ସୁତା ବିକ୍ରି କରାଯାଉଥିବା ସ୍ଥାନରେ ଚଢାଉ କରିଛି । ଏହାସହ ଚୌଧୁରୀ ବଜାର ଓ ବାଦାମବାଡ଼ି ଅଂଚଳରେ ଥିବା ବିଭିନ୍ନ ଦୋକାନରେ ଚଢ଼ାଉ କରିଛି ପୁଲିସ । ଚଢ଼ାଉ ବେଳେ ମାଂଜା ସୂତା ଜବତ କରିଛି ପୁଲିସ । ଏହାସହ ମାଂଜା ସୂତାରେ ଗୁଡ଼ି ନଉଡ଼ାଇବାକୁ ମାଇକ ଯୋଗେ ପ୍ରଚାର କରି ସଚେତନ କରିଛି । ସେପଟେ ପୁଲିସର ନିର୍ଦ୍ଦେଶ ଅନୁସାରେ, ବ୍ୟବସାୟୀ ମଧ୍ୟ ମାଂଜା ସୂତା ବିକ୍ରି କରୁନଥିବା କହିଛନ୍ତି ।

ଗୁଡ଼ି ଉଡାଇବା ବେଳେ ସର୍ତକ ରହିବା ସହ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରିଥିଲା କମିଶନରେଟ୍ ପୋଲିସ । ବିପଜ୍ଜନକ ମାଞ୍ଜା ସୂତା ବଦଳରେ ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ପରାମର୍ଶ ଦିଆଯାଇଥିଲା । ମାଞ୍ଜା ସୂତା ବ୍ୟବହାର କରି ଗୁଡ଼ି ଉଡାଇବା ଆଇନଗତ ଦଣ୍ଡନୀୟ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଥିଲା ।