ସନ୍ଦେଶଖାଲି ପୀଡିତାଙ୍କୁ ବିଜେପି ଟିକେଟ୍ । ବଶୀରହାଟରୁ ଲଢିବେ ରେଖା ପାତ୍ର । ଜାଣନ୍ତୁ, କିଏ ଏହି ଚର୍ଚ୍ଚିତ ମହିଳା?

1,100

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଅଧିକରୁ ଅଧିକ ଲୋକସଭା ସିଟ୍ ହାତେଇବାକୁ କୌଣସି ବି କସରତ ଛାଡିନି ବିଜେପି । ଗତକାଲି ୧୧୧ ଜଣ ପ୍ରାର୍ଥୀଙ୍କ ତାଲିକା ବିଜେପି ତରଫରୁ ଘୋଷଣା କରାଯାଇଥିବାବେଳେ, ଏହି ଲିଷ୍ଟରେ ରହିଛନ୍ତି ବହୁଚର୍ଚ୍ଚିତ ପଶ୍ଚିମବଙ୍ଗ ସନ୍ଦେଶଖାଲି ଘଟଣାର ପୀଡିତା ରେଖା ପାତ୍ର । ପଶ୍ଚିମବଙ୍ଗର ବଶୀରହାଟ ଲୋକସଭା ସିଟରୁ ରେଖାଙ୍କୁ ଟିକେଟ୍ ଦେଇଛି ବିଜେପି ।

ଗତ କିଛି ଦିନ ଧରି ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣା ବେଶ ଚର୍ଚ୍ଚାରେ ରହିଥିଲା । ଏମିତି କି ଏହି ଘଟଣାରେ ଟିଏମସି ନେତା ଶାହାଜାହାନ୍ ଶେଖଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଆଉ ଏହି ଘଟଣା ପରେ ଏବେ ଏହି ଆନ୍ଦୋଳନର ମୁଖ୍ୟ ଚେହେରା କୁହାଯାଉଥିବା ରେଖାପାତ୍ରଙ୍କୁ ବିଜେପି ଦେଇଛି ଲୋକସଭା ଟିକେଟ୍ ।

ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ରେଖା ପାତ୍ର ହେଉଛନ୍ତି ସନ୍ଦେଶଖାଲି ପୀଡିତାଙ୍କ ମଧ୍ୟରୁ ଜଣେ । ଶାହାଜାହାନ୍ ଶେଖ ଦ୍ୱାରା ସେ ଶୋଷଣର ଶିକାର ହେଇଥିଲେ । ଆଉ ସେ ହିଁ ପ୍ରଥମେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ତେବେ ଏହାପରେ ଏହି ଘଟଣା ଚର୍ଚ୍ଚାକୁ ଆସିବା ସହିତ ଶାହାଜାହାନ୍ ଶେଖ୍ ଗିରଫ ମଧ୍ୟ ହେଇଛନ୍ତି । ଅନ୍ୟପଟେ ବଶୀରହାଟ୍ ଆସନରୁ ଟିକେଟ୍ ପାଇବା ପରେ ରେଖା କହିଛନ୍ତି ଯେ, ବିଜେପି ମୋତେ ବଶୀରହାଟ ସହିତ ସନ୍ଦେଶଖାଲି ଲୋକଙ୍କ ସେବା କରିବାର ମୌକା ଦେଇଛି ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନ ମଧ୍ୟରୁ ୩୮ଟି ସିଟରେ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି । କେବଳ ଡାଇମଣ୍ଡ ହାର୍ବର, ଆସନସୋଲ, ବୀରଭୂମି ଓ ଝାଡଗ୍ରାମର ପ୍ରାର୍ଥୀ ଘୋଷଣା କରିବା ବାକି ଅଛି । ତେବେ କେମିତି ପଶ୍ଚିମବଙ୍ଗର ଅଧିକରୁ ଅଧିକ ଲୋକସଭା ଆସନ ବିଜେପିକୁ ହାତକୁ ଯିବ, ସେନେଇ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି ।

ଏହାବାଦ୍ ବିଜେପି କୋଲକାତା ହାଇକୋର୍ଟର ପୂର୍ବତନ ଜଜ୍ ଅଭିଜିତ୍ ଗଙ୍ଗୋପାଧ୍ୟାୟଙ୍କୁ ପୂର୍ବ ମେଦିନୀପୁରର ତମଲୁକରୁ ଟିକେଟ୍ ଦେଇଛି । ସେହିପରି ତାପସ ରାୟଙ୍କୁ କୋଲକାତା ଉତ୍ତରରୁ ଟିକେଟ୍ ଦେଇଛି ବିଜେପି ।

ସୂଚନାଯୋଗ୍ୟ ଯେ, ଟିଏମସିର ପୂର୍ବତନ ନେତା ଶେଖ ଶାହାଜାହାନ୍ ଓ ତାଙ୍କ ଗ୍ୟାଙ୍ଗ ମହିଳାଙ୍କ ସହ ଯୌନ ଉତ୍ପୀଡନ ଓ ଜୋର ଜବରଦସ୍ତ ଜମି ହଡପ କରୁଥିବା ନେଇ ଅଭିଯୋଗ ହେଉଥିଲା । ଏହାସହ ଶାହାଜାହାନ ରାସନ ଘୋଟାଲାରେ ମଧ୍ୟ ଧରାପଡିଥିଲା । ଏହାପରେ ଇଡି ଶାହାଜାହାନଙ୍କୁ ପଚରାଉଚୁରା କରିବାକୁ ଯିବା ସମୟରେ ଶେଖ ଶାହାଜାନର ସମର୍ଥକ ଇଡି ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ କରିତିଲେ । ଯେଉଁଥିରେ ଏକାଧିକ ଇଡି ଅଧିକାରୀ ଆହତ ହେଇଥିଲେ ।