ନଭେମ୍ବର ୨୯ ରେ ଆଉ ଏକ ଲଘୁଚାପ : ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା; ବଢ଼ିବ ଶୀତର ପରିମାଣ

1,199

କନକ ବ୍ୟୁରୋ : ନଭେମ୍ବର ୨୯ ବେଳକୁ କେନ୍ଦ୍ରୀୟ ବ‌ଙ୍ଗୋପସାଗରର ଦକ୍ଷିଣ ଭାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବ କ’ଣ ରହିବ ସେନେଇ ଏପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିଭାର’ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ରାତି ସାଢେ ୨ଟାରେ ସ୍ଥଳଭାଗକୁ ପ୍ରବେଶ କରିଛି ନିଭାର । ତେବେ ସ୍ଥଳଭାଗ ଛୁଇଁବା ପରେ ନିଭାର ଧିରେ ଧିରେ ଦୁର୍ବଳ ହେଉଛି । ପାଣିପାଗ ବିଭାଗ ଅନୁସାରେ ନିଭାର ଏବେ ଅତି ଭୟଙ୍କର ବାତ୍ୟା ଶ୍ରେଣୀରୁ ଭୟଙ୍କର ବାତ୍ୟାକୁ ପରିବର୍ତିତ ହୋଇଛି ।

ତେବେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । କିମ୍ବା ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ନାହିଁ । ‌କେବଳ ଯାହା ୨୬ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ନ ହେଲେ ସାରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେଣୁ ଭୟଭୀତ ନ ହେବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି । ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ନ ଥିଲେ ମଧ୍ୟ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ୱତନ୍ତ୍ର ରିଲିଫ କମିସନର(ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।