ଦେଶରେ କମିଛି ଦାରିଦ୍ର୍ୟ! ଓଡିଶାରେ ବି ଦାରିଦ୍ର୍ୟ ହାର ୧୧ ପ୍ରତିଶତକୁ ହ୍ରାସ

79

କନକ ବ୍ୟୁରୋ: ରାଜ୍ୟରେ ଦାରିଦ୍ର୍ୟହାର କମିଛି । ନୀତି ଆୟୋଗ ରିପୋର୍ଟ ଏହା କହୁଥିବା ବେଳେ ଗ୍ରାଉଣ୍ଡଜିରୋରେ ବାସ୍ତବ ସ୍ଥିିତି କିଛି ଭିନ୍ନ କଥା କହୁଛି । ସାଧାରଣତଃ ଲୋକଙ୍କ ଆୟ ତୁଳନାରେ ବ୍ୟୟ ବଢିଛି । କିନ୍ତୁ ସବୁ ଦିନ କାମ ମିଳୁନାହିଁ । ଏଭଳି ସ୍ଥିତିରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନର ମାନକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟ କେବଳ ରାଜନୈତିକ ପ୍ରଚାର ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ନୀତି ଆୟୋଗର ଏ ସଂପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ଅନେକଙ୍କ ମନରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ସତରେ କଣ ଦାରିଦ୍ର୍ୟ ହାର କମିଛି । ଏହାର ସତ୍ୟାସତ୍ୟ ଜାଣିବା ପାଇଁ କନକ ନ୍ୟୁଜ କ୍ୟାମେରା ଟିମ ପହଂଚିଥିଲା ଭୁବନେଶ୍ୱରର ନୀଳାଦ୍ରୀବିହାର ବସ୍ତିରେ । କିଏ ତାସ ଖେଳିବାରେ ବ୍ୟସ୍ତ ଥିଲେ ତ କିଏ ନିଜ ନିଜ କାମ କରିବାରେ ବ୍ୟସ୍ତ ଥିଲେ । ଏହି ଭିଡ ଭିତରେ ଥିଲେ ବନମାଳି ନାୟକ । ୬୫ ବର୍ଷୀୟ ବନମାଳୀ ରାଜମିସ୍ତ୍ରୀ ଭାବେ କାମ କରନ୍ତି । ଆଜି କାମ ମିଳିନଥିବାରୁ ଘର ବାହାରେ ବସି ରହିଥିଲେ । ରୋଜଗାର ସନ୍ଧାନରେ ୨୦ ବର୍ଷ ତଳୁ ଗଞ୍ଜାମରୁ ଭୁବନେଶ୍ୱର ଆସିଥିଲେ । ତାଙ୍କ କହିବା କଥା, ୨୦ ବର୍ଷ ଭିତରେ ତାଙ୍କ ମଜୁରୀ ବଢିଛି ସତ ହେଲେ ଖର୍ଚ ମଧ୍ୟ ବଢ଼ିଯାଇଛି ।

ବନମାଳୀ ନାୟକ ଗୋଟିଏ ଉଦାହରଣ ହୋଇପାରନ୍ତି, କିନ୍ତୁ ଏହି ବସ୍ତିର ଅନେକ ଲୋକଙ୍କ ସମାନ ଅବସ୍ଥା । ଅନ୍ୟପଟେ ନୀତି ଆୟୋଗର ରିପୋର୍ଟ କହୁଛି
ଗତ ୯ ବର୍ଷ ଭିତରେ ଭାରତରେ କମିଛି ଗରିବଙ୍କ ସଂଖ୍ୟା
ରାଜ୍ୟର ଦାରିଦ୍ର୍ୟ ହାର ୧୧. ୦୭ ପ୍ରତିଶତକୁ ଖସିଛି
୨୦୧୩-୧୪ରେ ଏହା ଥିଲା ୩୪.୨୮ ପ୍ରତିଶତ
ଓଡିଶାର ୧ କୋଟି ୨ ଲକ୍ଷ ୭୮ ହଜାର ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି
ଜାତୀୟ ସ୍ତରରେ ଦାରିଦ୍ôର୍ୟ ହାର ୧୧.୨୮ ପ୍ରତିଶତକୁ ହ୍ରାସ

ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନର ମାନ ଏହି ୩ଟି ଦିଗକୁ ଦୃଷ୍ଟିରେ ରଖି ୧୨ଟି ମାପଦଣ୍ଡ ଆଧାରରେ ପ୍ରସ୍ତୁତ ହୋଇଥାଏ । ତେବେ ଦାରିଦ୍ର୍ୟ ମାପିବା ପାଇଁ ଏହା ଯଥେଷ୍ଟ ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ । ଭାରତରେ ଦାରିଦ୍ର୍ୟ କମୁଥିବା ନେଇ ନୀତି ଆୟୋଗର ରିପୋର୍ଟ କେବଳ ରାଜନୈତିକ ପ୍ରଚାର ବୋଲି ଅଭିଯୋଗ କରୁଛନ୍ତି ବିରୋଧୀ ।