ମନ୍ତ୍ରୀ ନବ ଦାସଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ : ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଓ ବହୁଶତ୍ରୁ ଥିବା ମିନତୀ ଦାଶ କହିଥିବା ଚାର୍ଜସିଟରେ ଉଲ୍ଲେଖ

2,782

କନକ ବ୍ୟୁରୋ : ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରୁ ସାଂଘାତିକ ତଥ୍ୟ ସାମନାକୁ ଆସିଛି । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍ ଅନୁସାରେ, ନବ ଦାସଙ୍କ ପତ୍ନୀ ମିନତୀ ଦାଶ ତାଙ୍କ ବୟାନରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ତାଙ୍କର ସ୍ୱାମୀଙ୍କୁ ପ୍ରି-ପ୍ଲାନ୍ ମାର୍ଡର କରାଯାଇଛି । କାରଣ ନବ ଦାସଙ୍କର ବହୁତ ଶତ୍ରୁ ଥିବା କଥା ସେ ତାଙ୍କୁ ପୂର୍ବରୁ କହିଥିଲେ । ଅର୍ଥାତ ମିନତୀ ଦାଶଙ୍କ ଆଶଙ୍କା ଏକ ଭିନ୍ନ ଦିଗକୁ ଇଂଗିତ କରୁଛି । ନବ ଦାସଙ୍କୁ ତାଙ୍କର ଶତ୍ରୁମାନେ ଯୋଜନା ବଦ୍ଧ ଭାବେ ମାରିଥାଇ ପାରନ୍ତି, ବୋଲି ସେ ଆଶଙ୍କା କରିଛନ୍ତି । ତେବେ ନବ ଦାସଙ୍କର କେଉଁଭଳି ଶତ୍ରୁତା ଥିଲା, ରାଜନୈତିକ ନା ବ୍ୟବସାୟିକ ତାହା ଚାର୍ଜସିଟରେ ଉଲେଖ ନାହିଁ ।

କେବଳ ନବ ଦାସଙ୍କ ପତ୍ନୀ ନୁହଁନ୍ତି, ତାଙ୍କ ପୁଅ ବିଶାଳ ଦାସ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ତାଙ୍କ ବାପାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସେ ତାଙ୍କ ବୟାନରେ କହିଛନ୍ତି । ଏଥିସହ ତାଙ୍କ ବାପାଙ୍କର ବ୍ରଜରାଜନଗରରେ ବହୁ ବିରୋଧୀ ଥିଲେ ବୋଲି କହିଛନ୍ତି । ହେଲେ, ନବ ଦାସଙ୍କର କେଉଁଭଳି ଶତ୍ରୁ ରହିଥିଲେ, ରାଜନୈତିକ, ବ୍ୟବସାୟିକ ନା ବ୍ୟକ୍ତିଗତ, ସେନେଇ ଚାର୍ଜସିଟରେ କୌଣସି କଥା ଉଲେଖ ନାହିଁ । ତେବେ ପ୍ରଶ୍ନ ଉଠୁଛି, ଯେତେବେଳେ ନବ ଦାସଙ୍କ ପତ୍ନୀ ଓ ପୁଅ, ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଆଶଙ୍କା କରୁଛନ୍ତି, ତାହେଲେ, ସେହି ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି କି ?

ଯଦି ସେହି ଦିଗରେ ତଦନ୍ତ ହୋଇଛି, ତାହେଲେ କେଉଁମାନଙ୍କୁ ପଚରାଉଚୁରା କରିଛି ତଦନ୍ତକାରୀ ଟିମ୍ ? କୌଣସି ରାଜନୈତିକ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି କି ? ନା କେବଳ ଅଭିଯୁକ୍ତ ଏଏସଆଇ ଗୋପାଳ ପାଖରେ ତଦନ୍ତ ଅଟକି ଯାଇଛି । ନବ ଦାସ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ କୋର୍ଟରେ ୫୪୪ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ଗୋପାଳକୁ ଏକମାତ୍ର ଦୋଷୀ ବୋଲି ଦର୍ଶାଯାଇଛି । ସେ କେମିତି ନବଙ୍କୁ ମାରିବା ପାଇଁ ଲଣ୍ଡା ହୋଇଥିଲା, ମନ୍ଦିର ଯାଇ ଶପଥ ନେଇଥିଲା ଦର୍ଶାଯାଇଛି । ହେଲେ, ନବଙ୍କ ପୁଅ ଓ ପତ୍ନୀ ଆଣିଥିବା ଅଭିଯୋଗ ଭିନ୍ନ ଦିଗକୁ ଇସାରା କରୁଛି ।