କିଏ ହେବେ ନୂଆ ଆଡଭୋକେଟ ଜେନେରାଲ? ପାୱାର କରିଡରରେ ଜୋରଦାର ଲବି । ମନ୍ତ୍ରୀ କହିଲେ ଦିନେ ଦୁଇ ଦିନ ମଧ୍ୟରେ ପ୍ରକାଶ ପାଇବ ବିଜ୍ଞପ୍ତି

949

କନକ ବ୍ୟୁରୋ: ବିଜେଡ ସରକାର କ୍ଷମତାରୁ ଯିବା ପରେ ଆଡଭୋକେଟ ଜେନେରାଲ ଅଶୋକ ପରିଜା ନିଜ ପଦରୁ ଇସ୍ତଫା ଦେଇଥିଲେ । ଆଉ ତାଙ୍କ ସ୍ଥାନରେ ଜ୍ୟୋତି ପ୍ରକାଶ ପଟ୍ଟନାୟଙ୍କୁ ଆଡଭୋକେଟ ଜେନେରାଲ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଥିଲା। ଆଉ ଏପର୍ଯ୍ୟନ୍ତ ସ୍ଥାୟୀ ଆଡଭୋକେଟ୍ ଜେନେରାଲ ନିଯୁକ୍ତ ହୋଇନଥବାରୁ ଦୀର୍ଘ ଗୋଟିଏ ମାସ ହେଲା ଆଡଭୋକେଟ ଜେନେରାଲ ପଦବୀ ଖାଲି ପଡିଛି । ନୂଆ ସରକାରଙ୍କ ପକ୍ଷରୁ ନିଯୁକ୍ତି ସଂପର୍କରେ ମଧ୍ୟ କୌଣସି ନିଷ୍ପତି ନିଆଯାଇ ନାହିଁ। ଏପଟେ ଏଜି ନିଯୁକ୍ତି ହେଇନଥିବାରୁ ହାଇକୋର୍ଟରେ ଅସମ୍ଭାଳ ସ୍ଥିତି ଉପୁଜିଛି । ଖୋଦ୍ ହାଇକୋର୍ଟ ମଧ ଏନେଇ ଉଦବେଗ ପ୍ରକାଶ କରିଛନ୍ତି ।

  • କିଏ ହେବେ ନୂଆ ଆଡଭୋକେଟ ଜେନେରାଲ?
  • ନିଯୁକ୍ତିରେ ବିଳମ୍ୱକୁ ନେଇ ହାଇକୋର୍ଟଙ୍କ ଉଦବେଗ

ହାଇକୋର୍ଟରେ ବିଭିନ୍ନ ବିଚାରଧୀନ ମାମଲରେ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ହୋଇପାରୁନି । କାରଣ ବିଭିନ୍ନ ମାମଲରେ ଫୈସଲା ପାଇଁ ସରକାରଙ୍କ ପକ୍ଷ ଅନେକ ଗୁରୁତ୍ୱ ବହନ କରିଥାଏ । ଆଡଭୋକେଟ ଜେନେରାଲ ନିଯୁକ୍ତି ବିଳମ୍ୱ ହେଉଥିବାରୁ ଏଭଳି ସ୍ଥିତି ଉପୁଜିଛି । ସେପଟେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଦିନେ ଦୁଇ ଦିନ ଭିତରେ ନିଯୁକ୍ତି ସଂପର୍କରେ ନିଷ୍ପତି ନିଆଯିବ ।

  • ଆଡଭୋକେଟ ଜେନେରାଲ ରେସରେ କିଏ?
  • କାହାକୁ ଭରସା କରିବେ ମୋହନ ସରକାର?

ପିତାମ୍ୱର ଆଚାର୍ଯ୍ୟ, ସୌରଚନ୍ଦ୍ର ମହାପାତ୍ର, ଅନୁପ ବୋଷ । ଏମାନେ ହେଉଛନ୍ତି ହାଇକୋର୍ଟର ବରିଷ୍ଠ ଓ ଅଭିଜ୍ଞ ଆଇନଜୀବି । ବିଭିନ୍ନ ବଡ ବଡ ମାମଲାରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ତେଣୁ ରାଜ୍ୟର ପରବର୍ତ୍ତୀ ଆଡଭୋକେଟ ଜେନେରାଲ ରେସର ଏମାନେ ଆଗରେ ରହିଛନ୍ତି । ଏପରିକି ନିଜ ନିଜ ସ୍ତରରେ ଏମାନେ ଲବି ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ଖୁବଶୀଘ୍ର ଆଡଭୋକେଟ ଜେନେରାଲ ନିଯୁକ୍ତ କରିବେ ସରକାର ।