ଭୁବନେଶ୍ବରର ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡର ଖୋଲୁଛି ଗୁମର । ହତ୍ୟାର ଦୁଇ ଦିନ ପୂର୍ବରୁ ଚାକିରିରୁ ଇସ୍ତଫା ଦେଇଥିଲେ ପୁଅ ଅନିରୁଦ୍ଧ । ଜେଲରେ ମାନସିକ ଚାପରେ ଅଛି ଅଭିଯୁକ୍ତ

2,524

କନକ ବ୍ୟୁରୋ : ଭୁବନେଶ୍ୱରର ହାଇପ୍ରୋଫାଇଲ ଅବସରପ୍ରାପ୍ତ ଅଧିକାରୀ ସୁନୀଲ ଚୌଧୁରୀ ମର୍ଡର ଘଟଣାର ଅଧିକ ଖିଅ ଖୋଜୁଛି ପୁଲିସ । ଜଣେ ପାଠ ପଢୁଆ ପୁଅ କିଭଳି ଜଣେ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିପାରେ ତାକୁ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି । ଅନିରୁଦ୍ଧ ଏକ କଲେଜରେ ଆଇନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଥିଲେ ଆଉ ଅଣ୍ଡରଟେକିଂ ଦେଇ ଚାକିରି କରୁଥିଲେ । କିନ୍ତୁ କର୍ତୃପକ୍ଷଙ୍କ ବାରମ୍ୱାର ତାଗିଦ ପରେ ଡିଗ୍ରୀ ସାର୍ଟିଫିକେଟ ଜମା କରିପାରୁନଥିଲେ । ସୂଚନା ଅନୁସାରେ, ହତ୍ୟାକାଣ୍ଡର ୨ ଦିନ ପୂର୍ବରୁ ଚାକିରି ଛାଡିଥିଲେ ।

  • ଋଣ ସହ ଥିଲା ସାର୍ଟିଫିକେଟ ଚାପ
  • ଦୁଇ ଦିନ ପୂର୍ବରୁ ଛାଡିଥିଲେ ଚାକିରି !

ଅଭିଯୁକ୍ତ ଅନିରୁଦ୍ଧ ଚୌଧୁରୀ ଏବେ ମାନସିକ ଚାପରେ ଅଛନ୍ତି । ଆଜି ଅନିରୁଦ୍ଧଙ୍କ ଓକିଲ ଝାରପଡା ଜେଲକୁ ଆସି ଅନିରୁଦ୍ଧକୁ ଦେଖା କରିବାକୁ ଚାହିଁଥିଲେ ବି ଏହା ସମ୍ଭବ ହୋଇପାରିନାହିଁ । ଅନିରୁଦ୍ଧଙ୍କୁ ଦେଖାନକରି ତାଙ୍କ ଓକିଲ ଫେରିଯାଇଛନ୍ତି । ପୁଲିସ ବି ତଦନ୍ତକୁ ଜୋରଦାର କରିଥିବାବେଳେ ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ କରିବାରେ ଲାଗିପଡିଛି ।

  • କାହିଁକି ରକ୍ତମୁଖା ହେଲା ଜହ୍ଲାଦ ପୁଅ?
  • ଯୋଜନାବଦ୍ଧ ହତ୍ୟାକାଣ୍ଡ ନା ଅକସ୍ମାତ ରାଗର ପରିଣାମ?

ପୁଲିସର କହିବା ଅନୁସାରେ, ୨୭ ଲକ୍ଷ କରଜରେ ଥିବାରୁ ଟେନସନରେ ଥିଲେ ଅନିରୁଦ୍ଧ । ଆଉ ଋଣ ସୁଝିବା ପାଇଁ ବାପାଙ୍କ ଉପରେ ଚାପ ପକାଉଥିଲେ । କିନ୍ତୁ ସୁନୀଲ ଚୌଧୁରୀ ଟଙ୍କା ଦେବାକୁ ମନା କରିଦେବାପରେ ଅନିରୁଦ୍ଧଙ୍କ ରାଗ ବଢିଯାଇଥିଲା । ଆଉ ସୁନୀଲ ଭୋର ୪ଟା ସମୟରେ ଶୋଇଥିବାବେଳେ ଅନିରୁଦ୍ଧ ହାତରେ ଛୁରୀ ଧରି ବେଡରୁମକୁ ପଶିଥିଲେ । ଆଉ ବାପାଙ୍କ ମୁହଁରେ ତକିଆ ଚାପି ତାଙ୍କ ଛାତି ଓ ପେଟକୁ ନିର୍ଦ୍ଦୟ ଭାବରେ ଛରୀରେ ଭୁଷି ପକାଇଥିଲେ ।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଅନିରୁଦ୍ଧ ଚୌଧୁରୀ ଏବେ ଝାରପଡା ଜେଲରେ ଅଛନ୍ତି । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ । ଆଉ ଏହାପରେ ଆବଶ୍ୟକ ପଡିଲେ ଅନିରୁଦ୍ଧଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିପାରେ ପୁଲିସ ।