ରାଜନୀତି ନୁହେଁ ଅଭିନେତା ହିସାବରେ ଦେଶ ସେବା କରିବି । ଆସନ୍ତା ନିର୍ବାଚନ ଲଢିବେନି ସନି ଦେଓଲ

271

କନକ ବ୍ୟୁରୋ : ବର୍ତ୍ତମାନ ସନି ଦେଓଲଙ୍କ ଫିଲ୍ମ ଗଦର-୨କୁ ନେଇ ଚାରିଆଡେ ଚର୍ଚ୍ଚା । ସନି ଦେଓଲ କେବଳ ଜଣେ ବଲିଉଡ୍ ସୁପରଷ୍ଟାର୍ ନୁହଁନ୍ତି । ସେ ଜଣେ ସାଂସଦ ମଧ୍ୟ । ପଞ୍ଜାବ ଗୁରୁଦାସପୁର ସାଂସଦ ଅଛନ୍ତି ସନି ଦେଓଲ । କିନ୍ତୁ ଆସନ୍ତା ନିର୍ବାଚନରେ ସନି ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଏକ ସାକ୍ଷାରକାରରେ କହିବା ପରେ ଚର୍ଚ୍ଚା ଜୋର ଧରିଛି ।

ସନି ଦେଓଲ ଏକ ଟିଭି ଇଂଟରବ୍ୟୁରେ କହିଛନ୍ତି, ଆସନ୍ତା ୨୦୨୪ ନିର୍ବାଚନ ଲଢିବେ ନାହିଁ । ସେ କହିଛନ୍ତି, ସାଂସଦ ପଦ ପାଇଁ ମୁଁ ଆଉ ପ୍ରାର୍ଥୀ ହେବିନି । ଅଭିନୟ ହିଁ ମୋ ପାଇଁ ନିର୍ବାଚନ । ଆଉ ମୁଁ ଅଭିନୟର ହିଁ ପ୍ରାର୍ଥୀ । ଦେଶ ସେବା କରିବା ପାଇଁ ମତେ ରାଜନୀତି କରିବାର ଆବଶ୍ୟକତା ନାହିଁ । ମୁଁ ଅଭିନେତା ହିସାବରେ ହିଁ ଦେଶ ସେବା କରିବି । ଏକା ସାଙ୍ଗରେ ରାଜନୀତିରେ ରହି ଦେଶ ସେବା କରିବା ଏବଂ ଫିଲ୍ମ କରିବା ଏକ ପ୍ରକାର ଅସମ୍ଭବ । ଗୋଟିଏ ସମୟରେ ଗୋଟିଏ କାମ ହିଁ କରାଯାଇପାରିବ । ମୁଁ ଯେଉଁ ଆଶା ନେଇ ରାଜନୀତିକୁ ଆସିଥିଲି, ତା ଅଭିନେତା ଭାବେ ବି ପୂରା କରିପାରିବି । ତେଣୁ ମତେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲଢିବାର ନାହିଁ ।

ରାଜନୀତିକୁ ନେଇ ସନି ଦେଓଲ ଆହୁରି ମଧ୍ୟ କହିଛନ୍ତି କି, ଅଭିନେତା ହିସାବରେ ମୋ ମନ ଯାହା କୁହେ ମୁଁ ତା’ କରୁଛି । କିନ୍ତୁ ରାଜନୀତିରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପୂରା ନକରିପାରିଲେ ତାହା ମତେ ବରଦାସ୍ତ ହେଉନାହିଁ । ତେଣୁ ମୁଁ ରାଜନୀତି ଦୁନିଆ ଛାଡି ଅଭିନୟ ଦୁନିଆରେ ହିଁ ରହିବାକୁ ଚାହୁଁଛି ।