ଦାଦନ ଖଟିବାକୁ ଯାଉଥିବା ବେଳେ ଟ୍ରେନରୁ ପଡି ଆରପାରିକୁ ଚାଲିଗଲେ ସ୍ୱାମୀ । ବେସାହାରା ହୋଇଗଲେ ପିଲା । ପରିବାର ମୁହଁରେ ଦାନା ଦେବା ପାଇଁ ରେଖାଙ୍କ ସଂଘର୍ଷ

77

କନକ ବ୍ୟୁରୋ: ସଂସାର ଯଦି ଗୋଟିଏ ମୁଦ୍ରା ହୁଏ, ତେବେ ସ୍ୱାମୀ-ସ୍ତ୍ରୀ ଦୁହେଁ ସେହି ମୁଦ୍ରାର ଦୁଇଟି ପାଶ୍ୱର୍ । ଯଦି ଜଣିଏ ଅବେଳରେ ଅଫେରା ରାଇଜର ଅତିଥି ପାଲଟିଯାଆନ୍ତି ତେବେ ସଂସାର ରଥକୁ ଆଗେଇ ନେବା କେତେ କଷ୍ଟ ଯିଏ ଅଙ୍ଗେ ନିଭେଇଛି ସିଏ ହିଁ ଜାଣିଛି । ସେ ଦୁଃଖକୁ ଅତି ନିକଟରୁ ଦେଖିଛନ୍ତି, ମୋହନା ବ୍ଲକ ବୋରିଗୁଡା ଗାଁର ରେଖା ମଲ୍ଲିକ । ସ୍ୱାମୀ ଦାଦନ ଖଟିବାକୁ ଯାଉଥିବା ବେଳେ ଟ୍ରେନରୁ ପଡି ପ୍ରାଣ ହରାଇବା ପରେ ରେଖାଙ୍କ ଜୀବନରେ ଘୋଟି ଆସିଛି ଦୁଃଖ ଓ ଯନ୍ତ୍ରଣାର ଘନ ଅନ୍ଧାର ।

ରେଖାଙ୍କ ସ୍ୱାମୀ ନାଜୁ ମଲ୍ଲିକ । ଗୋଆରେ ଦାଦନ ଶ୍ରମିକ ଭାବେ କାମ କରି ସ୍ତ୍ରୀ ଓ ତିନି ପିଲାଙ୍କ ପେଟକୁ ଦାନା ଯୋଗାଉଥିଲେ । ହେଲେ ହଠାତ୍ ବଦଳିଗଲା ସବୁ କିଛି । ଦୁର୍ଭାଗ୍ୟ ବଶତଃ ନାଜୁ ଟ୍ରେନରୁ ପଡି ପ୍ରାଣ ହରାଇବା ପରେ ବସାହାରା ହୋଇପଡିଛି ପୁରା ପରିବାର । ଆହା ପଦେ କହିବାକୁ କେହି ନାହିଁ । ପିଲାଙ୍କ ମୁହଁରେ ଦାନା ଦେବାକୁ ଅହରହ ସଂଘର୍ଷ କରୁଛନ୍ତି ରେଖା । କୁଲି କାମ କରିବା ସହ ଜଙ୍ଗଲରୁ କାଠ ହାଣି ପରିବାର ପୋଶୁଛନ୍ତି ରେଖା ।

ସରକାରଙ୍କ ପକ୍ଷରୁ ବଡ ପୁଅକୁ ଦିବ୍ୟାଙ୍ଗ ଭତ୍ତା ଓ ଆବାସ ଟିଏ ମିଳିଛି । ସେତିକିରେ ପିଲାଙ୍କ ପାଠପଢା, ଖିଆପିଆ ସମ୍ଭବ ହେଉନାହିଁ । ୩ଟି ଛୁଆଙ୍କୁ ନେଇ ବହୁ କଷ୍ଟରେ ଚଳୁଥିବା ରେଖାଙ୍କୁ ଅଧିକ ସହାୟତା ଜରୁରୀ ।