ଏଥର ରଥଯାତ୍ରା ବର୍ଷାରେ ଭିଜିବା ନେଇ ପାଣିପାଗ କେନ୍ଦ୍ରର ଆକଳନ । ୭ ଓ ୮ ତାରିଖରେ ପୁରୀରେ ବର୍ଷା ଆଶଙ୍କା

136

କନକ ବ୍ୟୁରୋ : ଏଥର ପ୍ରସିଦ୍ଧ ରଥଯାତ୍ରା ଉପରେ ସାରା ଦେଶର ନଜର ରହିଛି । ଦୁଇଦିନ ରଥଯାତ୍ରା ପଡୁଥିବାରୁ ଭକ୍ତଙ୍କ ସଂଖ୍ୟା ବଢିବା ଆଶା କରାଯାଉଛି । ଏପଟେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବରେ ୭ ଓ ୮ ଦୁଇଦିନ ଧରି ପୁରୀରେ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ ।

  • ୭ରେ ପୁରୀ ଜିଲ୍ଲାରେ ବର୍ଷା ସମ୍ଭାବନା
  • ୮ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ରାଜ୍ୟରେ ଆଜିଯାଏଁ ୧୯୧.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏବେ ବି ୨୫ ପ୍ରତିଶତ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । ଆଉ ଆଗକୁ ବର୍ଷା ଏହି ନିଅଣ୍ଟିଆ ସ୍ଥିତିକୁ ଭରଣା କରିବା ସମ୍ଭାବନା ରହିଛି ।

  • ୭ ତାରିଖରେ ପୁରୀ ସମେତ ୧୪ ଜିଲ୍ଲାକୁ ବର୍ଷାର ଚେତାବନୀ, ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ୮ ତାରିଖରେ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି- କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁସାରେ, ୭ ଏବଂ ୮ ତାରିଖରେ ଦୁଇଦିନ ଧରି ପୁରୀରେ ୩୦ରୁ ୩୫ ମିଲିମିଟର ବର୍ଷା ହୋଇପାରେ, ଦିନତମାମ ଝିପିଝିପି ବର୍ଷା ଲାଗିରହିବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୭ ତାରିଖରେ ଲଘୁଚାପର ରୂପ ନେବ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓଡିଶା ଓ ଛତିଶଗଡ ଉପରେ ରହିବା ସମ୍ଭାବନା ରହିଛି ।