ବାଲେଶ୍ୱର ରେଳ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡର ସାମ୍ବାଦିକ ସମ୍ମିଳନୀ, ସିବିଆଇ ତଦନ୍ତ ପାଇଁ ରେଳବୋର୍ଡର ସୁପାରିଶ

563

କନକ ବ୍ୟୁରୋ : ବାଲେଶ୍ୱର ବାହାନାଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି ରେଳବାଇ ବୋର୍ଡ । ଗଣମାଧ୍ୟମକୁ ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦୁର୍ଘଟଣା ଘଟିଥିବା ରେଳଟ୍ରାକର ମରାମତି ନେଇ ସେ ସୂଚନା ଦେଇଛନ୍ତି । ନଷ୍ଟ ହୋଇ ଯାଇଥିବା ରେଳଲାଇନ ପୁଣି ଟ୍ରେନ ଚଳାଚଳ ପାଇଁ ପ୍ରସ୍ତୁତ ହୋଇସାରିଲାଣି ବୋଲି ସେ କହିଛନ୍ତି । ଭୁବନେଶ୍ୱର ଏମ୍ସ, ସୋର, କଟକ ବଡ ମେଡିକାଲ , ଭଦ୍ରକ ଡାକ୍ତରଖାନାରେ ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି । ଆହତ ଓ ମୃତକଙ୍କ ପରିବାରକୁ ସୂଚନା ଦିଆଯାଉଛି । ଶୁକ୍ରବାର ଘଟିଥିବା ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୫ ଜଣ ପ୍ରାଣ ହରାଇଛନ୍ତି । ଏବେ ବି ଏହି ରୁଟରେ ଚଳାଚଳ ସ୍ୱାଭାବିକ ହୋଇପାରିନାହିଁ ।

ଶୁକ୍ରବାର ସଂଧ୍ୟାରେ ବାଲେଶ୍ୱର ବାହାନଗାରେ ଘଟିଥିବା ଛାତିଥରା ଦୁର୍ଘଟଣାର ସତ ଧୀରେ ଧୀରେ ସାମ୍ନାକୁ ଆସୁଛି । ଦୁଇଟି ଏକ୍ସପ୍ରେସ ଓ ମାଲଗାଡି ଟ୍ରେନ ମଝିରେ କେମିତି ହୋଲ ଦୁର୍ଘଟଣା ଏହାକୁ ନେଇ ଦ୍ୱନ୍ଦ୍ ରହିଛି । ତେବେ ପ୍ରାଥମିକ ତଦନ୍ତ ପରେ ରେଲୱେ ବୋର୍ଡ ସଦସ୍ୟ ସ୍ପଷ୍ଟୀକରଣ ରଖି କରମଣ୍ଡଳ କେମିତି ଦୁର୍ଘଟଣାର ଶିକାର ହେଲା କହିଛନ୍ତି । ଦୁର୍ଘଟଣା ସ୍ଥଳରେ ସମାନ୍ତରଳ ଭାବେ ଚାରୋଟି ରେଳ ଧାରଣା ରହିଛି । ମଝି ଦୁଇଟି ମୁଖ୍ୟ ଲାଇନ୍ ଓ ଅନ୍ୟ ଦୁଇଟି ରେଳ ଧାରଣାକୁ ଲୁପ୍ ଲାଇନ୍ କୁହାଯାଇଥାଏ । ଦୁର୍ଘଟଣା ସମୟରେ ଦୁଇ ଲୁପ ଲାଇନରେ ଦୁଇଟି ମାଲଗାଡି ଛିଡା ହୋଇଥିଲା । କଲିକତା ପଟୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ମୁଖ୍ୟ ଲାଇନ୍ ଦେଇ ଭୁବନେଶ୍ୱର ଦିଗରେ ୧୨୮ କିଲୋମିଟର ବେଗରେ ଆସୁଥିଲା । ବାହାନଗା ଷ୍ଟେସନ ଅତିକ୍ରମ କରିବା ବେଳେ ଟ୍ରେନକୁ ସବୁଜ ସଙ୍କେତ ମଧ୍ୟ ମିଳିଥିଲା । କିନ୍ତୁ କୌଣସି କାରଣ ବଶତଃ କରମଣ୍ଡଳ ଟ୍ରେନଟି ମୁଖ୍ୟ ଲାଇନରେ ନଯାଇ ଲୁପ ଲାଇନକୁ ପଳାଇ ଆସିଥିଲା ଓ ଲୁହା ପଥର ବୋଝେଇ ମାଲଗାଡିକୁ ଧକ୍କା ଦେଇଥିଲା । ଫଳରେ ଟ୍ରେନର ଇଞ୍ଜିନ ମାଲଗାଡି ଉପରେ ଚଢି ଯାଇଥିବା ବେଳେ ଅନ୍ୟ ବଗି ଗୁଡିକ ଧାରଣାରୁ ବାହାରି ଯାଇଥିଲା । ସେଥିରୁ କିଛି ବଗି ଅନ୍ୟ ମେନ ଲାଇନରେ ପଡିଥିବା ବେଳେ ସମାନ ସମୟରେ ଭୁବନେଶ୍ୱର ଆଡୁ ହାୱଡା ଅଭିମୁଖେ ୧୨୬ କିଲୋମିଟର ବେଗରେ ଯାଉଥିବା ଅନ୍ୟ ଏକ୍ସପ୍ରେସ ପଛ ଦୁଇ ବଗିରେ ମାଡ ହୋଇଥିଲା ।

ରେଲୱେ ବୋର୍ଡ ସଦସ୍ୟଙ୍କ ସୂଚନା ଅନୁସାରେ କରମଣ୍ଡଳର ବଗି ଗୁଡିକ ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥାଏ । ଯାହା ଛୋଟମୋଟ ଦୁର୍ଘଟଣାରେ ଧନଜୀବନ କ୍ଷୟକ୍ଷତିକୁ କମାଇଥାଏ । କିନ୍ତୁ ଏହି ଘଟଣାରେ ଏହା ଯେଉଁ ମାଲଗାଡି ସହ ଧକ୍କା ହୋଇଥିଲା ତାହା ଏତେ ଓଜନଦାର ଥିଲା ଯେ ଲାଇନ ଚ୍ୟୁତ ମଧ୍ୟ ହୋଇନଥିଲା । ଏବଂ ଧକ୍କା ହେବାର ସମସ୍ତ ପ୍ରଭାବ କରମଣ୍ଡଳର ବଗି ଗୁଡିକ ଉପରେ ହିଁ ପଡିଥିଲା । ଫଳରେ ଅଧିକ କ୍ଷୟକ୍ଷତି ହୋଇଥିବା କହିଛନ୍ତି ରେଲୱେ ବୋର୍ଡ ସଦସ୍ୟ । ଏହାସହ ହାୱଡା ଅଭିମୁଖେ ଯାଉଥିବା ଟ୍ରେନରେ ପଛ ଦୁଇ ବଗିରେ ମଧ୍ୟ ଧନଜୀବନ କ୍ଷୟକ୍ଷତି ହୋଇଛି ।

ଯଦିଓ ଦୁର୍ଘଟଣାର କାରଣ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । କିନ୍ତୁ କରମଣ୍ଡଳ କେଉଁ ପରିସ୍ଥିତିରେ ନିର୍ଦ୍ଦାରିତ ଧାରଣା ଛାଡି ମାଲବାହି ଟ୍ରେନ ଥିବା ଧାରଣାକୁ ପ୍ରବେଶ କଲା ତାହା ଏବେ ବି ଅସ୍ପଷ୍ଟ । ଟ୍ରେନ କେଉଁଧାରଣାରେ ଯିବ ତାହା ନିର୍ଦ୍ଦାରଣ କରୁଥିବା ଇଂଟରଲକିଂ ସିଷ୍ଟମରେ ପରିବର୍ତନ ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତ ପରେ ରେଳମନ୍ତ୍ରୀ କହିଛନ୍ତି । ତେବେ ତଦନ୍ତ କରୁଥିବା ରେଲୱେ ସେଫଟି କମିଶନରଙ୍କ ରିପୋର୍ଟ ସର୍ବସାଧାରଣ ହେବା ପରେ ଦୁର୍ଘଟଣା ପାଇଁ କିଏ ଦାୟୀ ତାହା ଜଣାପଡିବ ।