ବାବୁ ରାମଙ୍କ ବୀରତ୍ୱର କାହାଣୀ: ୧୪ ଏନକାଉଣ୍ଟର, ୨୮ ଆତଙ୍କୀଙ୍କୁ କରିଥିଲେ ନିପାତ…

107

କନକ ବ୍ୟୁରୋ: ଗଣତନ୍ତ୍ର ଦିବସ ଅବସରରେ ଜାମ୍ମୁ କାଶ୍ମୀରର ସହିଦ ପୋଲିସ ଏଏସଆଇଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନୀତ କରାଯାଇଛି । ଭାରତର ଏହି ବୀର ପୁଅ ଆତଙ୍କବାଦୀଙ୍କ ବିରୋଧରେ ଏକ ଅପରେସନ ବେଳେ ୨୦୨୦ ଅଗଷ୍ଟ ୨୯ ତାରିଖରେ ସହିଦ ହୋଇଯାଇଥିଲେ । ସହିଦ ବାବୁ ରାମ ୧୪ ଏନକାଉଣ୍ଟରରେ ଅଂଗ୍ରହଣ କରିଛନ୍ତି ଯେଉଁଥିରେ ସେ ୨୮ ଆତଙ୍କୀଙ୍କୁ ନିପାତ କରିଥିଲେ ।

ବାବୁ ରାମଙ୍କ ଜନ୍ମ ୧୯୭୨ ମସିହା ମେ ୧୫ ତାରିଖ ପୁଞ୍ଚ ଜିଲ୍ଲାର ଧାରନା ଗାଁରେ ହୋଇଥିଲା । ପିଲା ବେଳୁ ତାଙ୍କ ଭିତରେ ଦେଶ ସେବାର ଜୋଶ ଭରି ରହିଥିଲା । ପାଠ ପଢା ଶେଷ ହେବା ପରେ ୧୯୯୯ ମସିହାରେ ସେ ଜାମ୍ମୁ କାଶ୍ମୀରରେ କନଷ୍ଟେବଲ ଭାବେ ଯୋଗ ଦେଇଥିଲେ । ଜୁଲାଇ ୨୦୦୨ରେ ତାଙ୍କୁ ସ୍ପେଶାଲ ଅପରେସନ ଗ୍ରୁପରେ ସାମିଲ କରାଯାଇଥିଲା । ଏସଓଜିରେ କାର୍ଯ୍ୟ କରିବା ଭିକରେ ସେ ଅନେକ ଅପରେଶନରେ ଅଂଶଗ୍ରହଣ କରିଥିଲେ । ଆତଙ୍କୀ ବିରୋଧରେ ଅପରେସନରେ ସେ ସବୁଠାରୁ ଆଗରେ ଥିଲେ । ତେଣୁ ସମୟ ପୂର୍ବରୁ ତାଙ୍କୁ ପ୍ରମୋସନ ମିଳିଯାଉଥିଲା ।

୨୯ ଅଗଷ୍ଟ ୨୦୨୦ ସନ୍ଧ୍ୟାରେ ୩ ଜଣ ଆତଙ୍କୀ ପୋଲିସ ଓ ସିଆରପିଏଫର ନାକା ପାର୍ଟି ଉପରେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଆତଙ୍କୀ ପାଖରେ ଥିବା ଏକ ଘରେ ଲୁଚିଯାଇଥିଲେ । ଏଏସଆଇ ବାବୁ ରାମଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଆତଙ୍କୀହ୍କୁ ପିଛା କରି ସେହି ଘରକୁ ଘେରାଉ କରିଥିଲେ ।

ବାବୁ ରାମ ନିଜେ ଏହି ଅପରେସନର ପ୍ଲାନ ତିଆର କରିଥିଲେ । ଆତଙ୍କୀଙ୍କୁ ସାମ୍ନା କରି ସେହି ଘରେ ବନ୍ଦୀ ଅବସ୍ଥାରେ ଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ । ହେଲେ ଏହି ସମୟରେ ସେ ଆତଙ୍କୀଙ୍କ ଗୁଳିର ଶିକାର ହୋଇଥିଲେ । ତଥାପି ସେ ହାର ମାନିନଥିଲେ ଆଉ ଲସ୍କର କମାଣ୍ଡର ସକିବ ବଶିରଙ୍କୁ ଗୁଳି ମାରି ନିହତ କରିଥିଲେ । ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ସେ ସହିଦ ହୋଇଥିଲେ ।