ଆଜି ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ : ନୂଆ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ ବିକ୍ରମ, ସାରଦା ଓ ସୁଦାମ; କିଛି ମନ୍ତ୍ରୀଙ୍କ ବିଭାଗ ବଦଳିବା ନେଇ ସୂଚନା

215

କନକ ବ୍ୟୁରୋ : ଆଜି ଶପଥ ନେବେ ରାଜ୍ୟର ତିନି ନୂଆ ମନ୍ତ୍ରୀ । କିଛି ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାର୍ଣ୍ଡି ହେବେ କ୍ୟାବିନେଟ୍ ମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି । ହେଲେ କାହାକୁ କେଉଁ ବିଭାଗ ମିଳିବ, ତାହା ଜଣାପଡ଼ିନାହିଁ । ଆଜି ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ । ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଶପଥ ଗ୍ରହଣ ସୂଚୀ ଜାରି କରାଯାଇଛି । କିନ୍ତୁ ନୂଆ ବାଚସ୍ପତି କିଏ ହେବ ତାକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ନିକଟରେ ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ସମୀର ରଂଜନ ଦାଶ ଓ ଶ୍ରୀକାନ୍ତ ସାହୁ ମଧ୍ୟ ମନ୍ତ୍ରିପଦ ଛାଡିଥିଲେ । ଏହା ପରଠୁ ନୂଆ ମନ୍ତ୍ରୀ କିଏ ହେବେ, ସେନେଇ ଉଭୟ ନେତା ଓ କର୍ମୀଙ୍କ ମଧ୍ୟରେ ଉକ୍ରଣ୍ଠା ଜାରି ରହିଥିଲା । କାହା ମୁଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନାକଳସ ଢାଳିବେ, ଏ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଚାଲିଥିଲା । ଶପଥ ଗ୍ରହଣ ସୂଚୀ ପ୍ରକାଶ ପାଇବା ପରେ ମନ୍ତ୍ରୀ ଓ ବିଧାୟକଙ୍କୁ ହେଡକ୍ୱାର୍ଟର ଛାଡ଼ି ନଯିବାକୁ କୁହାଯାଇଥିଲା ।

ଏହା ପରେ ନେତାଙ୍କ ହୃଦସ୍ପନ୍ଦନ ବଢ଼ି ଯାଇଥିଲା । ଯେଉଁମାନେ ମନ୍ତ୍ରିପଦ ପାଇଁ ଆଶାୟୀ ଥିଲେ, କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଫୋନ କଲ ଆସିବ ସେମାନେ ଅପେକ୍ଷା କରି ରହିଥିଲେ । ସଂଧ୍ୟାରେ ରାଜ୍ୟପାଳ ଗଣେଶୀ ଲାଲ ପହଁଚିବା ପରେ ପାୱାର କରିଡରରେ ହଲଚଲ ସୃଷ୍ଟି ହୋଇଥିଲା । ବିକ୍ରମ ଆରୁଖ, ସୁଦାମ ମାର୍ଣ୍ଡି, ସାରଦା ନାୟକଙ୍କ ପାଖକୁ ଫୋନ କଲ୍ ଆସିଥିବା ସୂଚନା ମିଳିଥିଲା । ଏହି ତିନି ଜଣ କ୍ୟାବିନେଟ୍ ମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି । ତେବେ ଅନ୍ୟ କିଛି ମନ୍ତ୍ରୀଙ୍କ ବିଭାଗ ବଦଳିବା ନେଇ ମଧ୍ୟ ସୂଚନା ମଳିଛି ।

ବିକ୍ରମ କେଶରୀ ଆରୁଖ

ଭଂଜନଗରରୁ କ୍ରମାଗତ ୬ ଥର ବିଧାୟକ
୧୯୯୫ରେ ଜନତା ଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ
୨୦୦୦. ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ
ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସଂପର୍କ, ଜଙ୍ଗଲ ଓ ପରିବେଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ
ଜୁନ ୨୦୨୨ରେ ବାଚସ୍ପତି ନିର୍ବାଚିତ ହୋଇଥିଲେ ବିକ୍ରମ ଆରୁଖ
ମେ’ ୧୨, ୨୦୨୩ରେ ବାଚସ୍ପତି ପଦରୁ ସେ ଇସ୍ତଫା ଦେଇଥିଲେ

ସୁଦାମ ମାର୍ଣ୍ଡି

ଏବେ ବାଙ୍ଗରିପୋଷି ବିଧାୟକ ଅଛନ୍ତି
୩ ଥର ବିଧାୟକ ଓ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି
୧୯୯୦ : ସ୍ୱାଧୀନ ପ୍ରାର୍ଥୀ ଭାବେ ବାଙ୍ଗରିପୋଷିରୁ ବିଧାୟକ ଭାବେ ନିର୍ବାଚିତ
୨୦୦୪ : ଜେଏମ୍ଏମ୍ ପ୍ରାର୍ଥୀ ଭାବେ ମୟୂରଭଂଜ ଆସନରୁ ଲୋକସଭାକୁ ନିର୍ବାଚିତ
୨୦୧୪ : ବିଜେଡି ଟିକେଟରେ ବାଙ୍ଗରିପୋଷି ଆସନରୁ ବିଧାୟକ ଭାବେ ନିର୍ବାଚିତ
୨୦୧୯ : ବିଜେଡି ଟିକେଟରେ ବାଙ୍ଗରିପୋଷିରୁ ବିଧାୟକ ଭାବେ ନିର୍ବାଚିତ
କ୍ରୀଡ଼ା ଓ ଯୁବ ବ୍ୟାପାର, ଆଦିବାସୀ କଲ୍ୟାଣ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି

ଶାରଦା ନାୟକ

ରାଉରକେଲା ବିଧାୟକ ଅଛନ୍ତି
ବିଜେଡି ଟିକେଟରେ ୩ ଥର ବିଧାୟକ ହୋଇଛନ୍ତି
୨୦୦୪, ୨୦୦୯, ୨୦୧୯ରେ ରାଉରକେଲାରୁ ବିଧାୟକ ଭାବେ ନିର୍ବାଚିତ
୨୦୦୯ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି

ସେପଟେ ଛୁଟିରେ ଯାଇଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗତକାଲି ଭୁବନେଶ୍ୱର ଫେରି ଆସିଛନ୍ତି । ହରିୟାଣାରୁ ଓଡିଶାକୁ ଭିସ୍ତରା ବିମାନ ଯୋଗେ ଫେରିଛନ୍ତି ରାଜ୍ୟପାଳ । ଆଜି ଲୋକସେବା ଭବନରେ ଆୟୋଜିତ ନୂଆ ମନ୍ତ୍ରୀଙ୍କ ଶପଥ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ତେବେ ବିମାନ ବନ୍ଦରରୁ ବାହାରିବା ସମୟରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେଇ ରାଜ୍ୟପାଳ କହିଛନ୍ତି, ସେ ଏବେ ରାଜଭବନ ଯାଉଛନ୍ତି । ତାଙ୍କ ପାଖରେ କିଛି ଖବର ନାହିଁ । ରାଜଭବନ ଗଲେ ସୂଚନା ପାଇବେ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।