ଆସନ୍ତାକାଲି ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ବିକ୍ରମ, ସାରଦା ଓ ସୁଦାମ ହେବେ ନୂଆ କ୍ୟାବିନେଟ ମନ୍ତ୍ରୀ । ନବୀନ ନିବାସରୁ ୩ ଜଣଙ୍କୁ ଯାଇଛି ଫୋନ କଲ ।

2,021

କନକ ବ୍ୟୁରୋ: ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ମନ୍ତ୍ରୀଙ୍କୁ ଆସିଲା ଫୋନ୍ କଲ୍ । ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାର୍ଣ୍ଡି ହେବେ କ୍ୟାବିନେଟ୍ ମନ୍ତ୍ରୀ । ଏନେଇ ମନ୍ତ୍ରୀଙ୍କ ପାଖକୁ ଫୋନ୍ କଲ୍ ଆସିଥିବା ସୂଚନା ମିଳିଛି ।

ଆସନ୍ତାକାଲି ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ । ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଶପଥ ଗ୍ରହଣ ସୂଚୀ ଜାରି କରାଯାଇଛି । ନିକଟରେ ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ମଧ୍ୟ ମନ୍ତ୍ରିପଦ ଛାଡିଥିଲେ । ଏହା ପରଠାରୁ ନୂଆ ମନ୍ତ୍ରୀ କିଏ ହେବେ, ଏ ନେଇ ଉଭୟ ନେତା ଓ କର୍ମୀଙ୍କ ମଧ୍ୟରେ ଉକ୍ରଣ୍ଠା ଜାରି ରହିଥିଲା ।

କାହା ମୁଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନାକଳସ ଢାଳିବେ, ଏ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଚାଲିଥିଲା । ଶପଥ ଗ୍ରହଣ ସୂଚୀ ପ୍ରକାଶ ପାଇବା ପରେ ମନ୍ତ୍ରୀ ଓ ବିଧାୟକଙ୍କୁ ହେଡକ୍ୱାର୍ଟର ଛାଡ଼ି ନଯିବାକୁ କୁହାଯାଇଥିଲା । ଏହାପରେ ନେତାଙ୍କ ହୃଦସ୍ପନ୍ଦନ ବଢ଼ି ଯାଇଥିଲା । ଯେଉଁମାନେ ମନ୍ତ୍ରିପଦ ପାଇଁ ଆଶାୟୀ ଥିଲେ, କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଫୋନ କଲ ଆସିବ ସେମାନେ ଅପେକ୍ଷା କରି ରହିଥିଲେ । ସଂଧ୍ୟାରେ ରାଜ୍ୟପାଳ ଗଣେଶୀ ଲାଲ ପହଁଚିବା ପରେ ପାୱାର କରିଡରରେ ହଲଚଲ ସୃଷ୍ଟି ହୋଇଥିଲା । ବିକ୍ରମ ଆରୁଖ, ସୁଦାମ ମାର୍ଣ୍ଡି, ସାରଦା ନାୟକଙ୍କ ପାଖକୁ ଫୋନ କଲ୍ ଆସିଥିବା ସୂଚନା ମିଳିଥିଲା । ଏହି ତିନି ଜଣ କ୍ୟାବିନେଟ୍ ମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି ।