ସାତକୋଶିଆର ହରିଣ ଖାଇବାକୁ ଆସିବ ମଧ୍ୟପ୍ରଦେଶର ମହାବଳ ! ଜୈବ ସନ୍ତୁଳନ ପାଇଁ ଆସନ୍ତା ମାସରେ ଓଡ଼ିଶା ପହଁଚିବେ ଦୁଇଟି ବାଘ

120

କନକ ବ୍ୟୁରୋ : ସାତକୋଶିଆକୁ ଆସିବ ମହାବଳ ବାଘ । ଆସନ୍ତା ମାସରେ ମଧ୍ୟପ୍ରଦେଶରୁ ପହଁଚିବେ ଦୁଇଟି ବାଘ । ୩ ଯୋଡା ବା ୬ଟି ମହାବଳ ଦେବା ପାଇଁ ରାଜି ହୋଇଛନ୍ତି ମଧ୍ୟପ୍ରଦେଶ ସରକାର । ହରିଣ ଓ ଅନ୍ୟାନ୍ୟ ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ସାତକୋଶିଆ ଅଭୟାରଣ୍ୟ ଜୈବ ସନ୍ତୁଳନ ହରାଉଛି । ଏଥିପାଇଁ ମହାବଳ ବାଘ ଦେବାକୁ ମଧ୍ୟପ୍ରଦେଶ ସରକାରଙ୍କୁ ଅନୁରୋଧ କରିଥିଲା ଓଡ଼ିଶା ।

ସାତକୋଶିଆର ହରିଣ ଖାଇବ ମଧ୍ୟପ୍ରଦେଶର ମହାବଳ । ସାତକୋଣିଆ ଜଙ୍ଗଲରେ ହରିଣ ସମେତ ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବଢୁଥିବାରୁ ଜୈବ ସନ୍ତୁଳନ ପାଇଁ ଆସନ୍ତା ମାସରେ ଓଡିଶାକୁ ଆସିବ ଦୁଇଟି ମହାବଳ ବାଘ । ମଧ୍ୟପ୍ରଦେଶରୁ ବାଘ ଅଣାଯାଇ ସାତକୋଶିଆରେ ଜଙ୍ଗଲରେ ଛଡାଯିବ । ଏ ନେଇ ଚିଠି ଲେଖି ମୋଟ ଛଅଟି ବାଘ ଆଣିବା ପାଇଁ ଅନୁମତି ଦେଇଛନ୍ତି ମଧ୍ୟପ୍ରଦେଶ ସରକାର । ଆସନ୍ତା ମାର୍ଚ୍ଚ କିମ୍ବା ଅପ୍ରେଲରେ ଦୁଇଟି ବାଘ ଅଣାଯିବ ବୋଲି କହିଛନ୍ତି ଓଡିଶା ପିସିସିଏଫ । ଆସନ୍ତା ଦୁଇବର୍ଷ ମଧ୍ୟରେ ଆଉ ଦୁଇ ଯୋଡା ବାଘ ଅଣାଯିବ ବୋଲି ପ୍ରତିଶ୍ରୁତି ଦେଇଛି ମଧ୍ୟପ୍ରଦେଶ ।

ରାଜ୍ୟରେ ବାଘ ସଂଖ୍ୟା କମ୍ ଥିବା ଦୃଷ୍ଟିରୁ ଜୈବ ସନ୍ତୁଳନ ବିଗିଡି ଯାଉଛି । ଫଳରେ ବ୍ୟାଘ୍ର ଅଭୟାରଣ୍ୟରେ ହରିଣ, ସମ୍ବର ଭଳି ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ଏଥିପାଇଁ ମଧ୍ୟପ୍ରଦେଶରୁ ମହାବଳ ବାଘ ଅଣାଯାଇ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଛଡାଯିବ । ସର୍ଭେ ଅନୁସାରେ ସାତକୋଶିଆରେ ବର୍ତ୍ତମାନ ୧୫ଟି ବାଘ ରହିପାରିବେ ବୋଲି ଆକଳନ କରାଯାଇଛି । ତେବେ ସମୁଦାୟ ୬ଟି ବାଘ ଏଠାରେ ରଖାଯିବା ପାଇଁ ଯୋଜନା କରାଯାଉଛି । ଦରକାର ପଡିଲେ ମୁଖ୍ୟମନ୍ତ୍ରୀ ସ୍ତରରେ ମଧ୍ୟ ଏ ନେଇ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୬ରେ କରାଯାଇଥିବା ବାଘ ଗଣନା ଅନୁଯାୟୀ ସାତକୋଶିଆରେ ମାତ୍ର ଗୋଟିଏ ମହାବଳ ବାଘ ଅଛି । ତେଣୁ ଏହି ପ୍ରକ୍ରିୟା ଦ୍ୱାରା ବାଘ ବଂଶ ବୃଦ୍ଧି ହେବା ସହ ଜଙ୍ଗଲକୁ ଶିକାରୀଙ୍କ ଅନଧିକାର ପ୍ରବେଶ ଉପରେ ମଧ୍ୟ ରୋକ ଲାଗିପାରିବ ବୋଲି ସରକାର ଆଶା ରଖିଛନ୍ତି ।