କନକ ବ୍ୟୁରୋ: ବର୍ଷା ଆରମ୍ଭରୁ ଡରାଇଲାଣି ଡେଙ୍ଗୁ । ଗତବର୍ଷ ତୁଳନାରେ ଏଯାବତ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶେଷ ରିପୋର୍ଟ ସୁଦ୍ଧା ଏଯାବତ ୩୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ବଲାଙ୍ଗୀରର ସଇଁତଳା ହଟସ୍ପଟ ପାଲଟିଛି। ପୂର୍ବବର୍ଷ ତୁଳନାରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି ।

Advertisment

ସାରା ଓଡିଶାରେ ଏବେ ଡେଙ୍ଗୁକୁ ନେଇ ଚିନ୍ତା ଘାରିଛି। ଗତବର୍ଷ ତୁଳନାରେ ପ୍ରାୟ ୧୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ମୋଟ ୩୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୩୮, ବଲାଙ୍ଗୀରରୁ ୩୩ ଆକ୍ରାନ୍ତ ଚିହ୍ନଟ । ବଡକଥା ହେଉଛି ବଲାଙ୍ଗୀର ସଇଁତଳାର ଗୋପବନ୍ଧୁ ପଡ଼ା ପାଲଟିଛି ହଟସ୍ପଟ । କେବଳ ଏଠାରୁ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିଛି ଲୋକ ତେଲେଙ୍ଗାନାରୁ ଫେରିବା ପରେ ଏପରି ସ୍ଥିତି ଉପୁଜିଛି। ଭୁବନେଶ୍ବରରୁ ଘଟଣାସ୍ଥଳକୁ ଏକ ଟିମ୍ ଯାଇ ଅନୁଧ୍ୟାନ କରିଛନ୍ତି । ବଲାଙ୍ଗୀର ସିଡିଏମଓ ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ପରସ୍ପର ମଧ୍ୟରେ ସମନ୍ବୟ ରଖି ଡେଙ୍ଗୁକି କିଭଳି ରୋକି ହେବ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ରାଜ୍ୟର ସବୁ ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରାଯାଇଛି।

ଡେଙ୍ଗୁ ମୁକାବିଲା ପାଇଁ ଭୁବନେଶ୍ବର ମହାନଗର ନିଗମ ପଦକ୍ଷେପ ନେଇଛି। ଆଶା, ଅଙ୍ଗନବାଡି କର୍ମୀଙ୍କ ସହିତ ସ୍ବେଚ୍ଛାସେବୀ ସଂଗଠନ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି । ସେହିପରି ନିଧି ରଥ ବୁଲାଯାଇ ସଚେତନ କରାଯାଉଛି । ମଶାର ଉତ୍ପତି ସ୍ଥଳ ଚିହ୍ନଟ କରାଯାଇ ଏହାର ପ୍ରତିକାର କରାଯାଉଛି । ସେପଟେ କ୍ୟାପିଟାଲ ହସ୍ପିଟାଲରେ ୪୦ଟି ଡେଙ୍ଗୁ ବେଡ୍ ପ୍ରସ୍ତୁତ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।