କନକ ବ୍ୟୁରୋ: କେନ୍ଦ୍ର ସରକାର ଗାଁରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଇଲେକ୍ଟିକ୍ ସାଇକେଲ ଯୋଗାଇ ଦେବେ । ଏ ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଗତ ଶୁକ୍ରବାର କନର୍ଭଜେନ୍ସ ଏନର୍ଜି ସର୍ଭିସ ଲିମିଟେଡ କମ୍ପାନୀ ସହ ବୁଝାମଣା କରିଛନ୍ତି । ‘ସ୍ତ୍ରୀ’ (ସସ୍ଟେନେବୁଲ ଟ୍ରାନ୍ସପୋର୍ଟ ଫର ରୁରାଲ ଅନାଟ୍ରୋପ୍ରେନର୍ସ ଥ୍ରୋ ଇଲେକ୍ଟ୍ରିକ୍ ବାଇ-ସାଇକେଲ) ନାମରେ ଆରମ୍ଭ ହେବାକୁ ଯାଉଥିବା ଏହି ଯୋଜନା ଦୀନଦୟାଲ ଅନ୍ତୋର୍ଦୟ ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ବିକାଶ ଯୋଜନାର ଏକ ଅଂଶ ବିଶେଷ ।

Advertisment

ଗ୍ରାମାଂଚଳରେ କ୍ଷୁଦ୍ର ଉଦ୍ୟୋଗ ଗୁଡିକୁ ଚଳାଉଥିବା ମା ଓ ଭଉଣୀ ମାନଙ୍କୁ ଯାତାୟାତ ପାଇଁ ଅନୁକୂଳ ପରିବହନ ସୁବିଧା ଯୋଗାଇବା ମହିଳା ସଶକ୍ତିକରଣକୁ ଆଉ ପାଦେ ଆଗକୁ ନେବ । ଏଣୁ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ବିଭାଗ ସଚିବ ଶୈଳେଶ କୁମାର ସିଂହଙ୍କ ପକ୍ଷରୁ କନର୍ଭଜେନ୍ସ ଏନର୍ଜି ସର୍ଭିସ ଲିମିଟେଡ ଅଧ୍ୟକ୍ଷ ବିଶାଳ କପୂରଙ୍କ ସହ ଇ-ସାଇକେଲ ଯୋଗାଇଦେବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ସାଇକେଲର ଯୋଗାଣ ମହିଳା ମାନଙ୍କୁ ଉଭୟ ଆର୍ଥିକ ଓ ସାମାଜିକ ସହାୟତା କରିବ । ଇଲେକ୍ଟ୍ରିକ୍ ସାଇକେଲ ହୋଇଥିବାରୁ ଏହାର ବ୍ୟବହାର ପରିବେଶ ପାଇଁ ମଧ୍ୟ ଉପଯୋଗୀ ରହିବ । ମହିଳାଙ୍କୁ ଏହି ସହାୟତା ଆର୍ଥିକ କ୍ଷେତ୍ରରେ ମଜବୁତ୍ କରିବା ସହ ମୋଦୀଙ୍କ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାର ଆଶାକୁ ଦୃଢ କରିବ ।

ଗ୍ରାମୀଣ ଅଂଚଳରେ ମହିଳା ମାନଙ୍କୁ ଯିବା ଆସିବାରେ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ନିଜର ସାଇକେଲ ଖଣ୍ଡିଏ ଥିଲେ ମହିଳାମାନଙ୍କୁ ନିଜ କାମ ପାଇଁ ଆଉ କାହା ଉପରେ ନିର୍ଭରଶୀଳ ହେବାକୁ ପଡିବ ନାହିଁ । ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ କାର୍ଯ୍ୟ କ୍ଷେତ୍ରରେ ସହାୟକ ହେବ ବୋଲି ଗ୍ରାମୀଣ ବିକାଶ ବିଭାଗ ସଚିବ କହିଛନ୍ତି ।