ନାହିଁ ନାହିଁରେ ଚାଲିଛି ଓଡ଼ିଆ ଭାଷା ପ୍ରତିଷ୍ଠାନ । ୧୮ ବର୍ଷ ପରେ ବି ଲକ୍ଷ୍ୟ ହାସଲ ଠାରୁ ବହୁ ଦୂରରେ । ପ୍ରତିଷ୍ଠାନର ପୁନର୍ଗଠନ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

55

କନକ ବ୍ୟୁରୋ : ସରକାରୀ ସ୍ତରରେ ଓଡ଼ିଆ ଭାଷା କାର୍ଯ୍ୟକାରୀ ହେବା ନେଇ ସରକାର ନିଷ୍ପତ୍ତି ନେବା ପରେ ବର୍ତ୍ତମାନ ଓଡ଼ିଆ ଭାଷା ପ୍ରତିଷ୍ଠାନ କେବେ ପୂରା ଦମ୍ରେ କାର୍ଯ୍ୟ କରିବ, ତାକୁ ନେଇ ଘାରିଛି ଚିନ୍ତା । ୨୦୦୬ରେ ଏହି ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଅଚଳ ହୋଇ ପଡ଼ିଥିବା ଅଭିଯୋଗ ହେଉଛି । ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିବା ପରେ କିପରି ଏହା କାର୍ଯ୍ୟ କରିବ, ଏହା ଉପରେ ସମସ୍ତଙ୍କର ନଜର ରହିଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ ଗଠନର ୧୮ ବର୍ଷ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ଏହି ପ୍ରତିଷ୍ଠାନ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଏହାର ମୂଳ ଲକ୍ଷ୍ୟ ଥିଲା…

  • ଓଡ଼ିଆ ଭାଷାର ସମୃଦ୍ଧି, ସଂରକ୍ଷଣ ଓ ବିକାଶ
  • ପ୍ରାଚୀନ ଗ୍ରନ୍ଥର ସଂରକ୍ଷଣ ଓ ପୁନଃ ପ୍ରକାଶନ
  • ବିଭିନ୍ନ ଉପଭାଷାକୁ ମିଶାଇ ଭାଷାର ମାନକ ନିର୍ଦ୍ଧାରଣ
  • ନୂଆପିଢ଼ି ପାଇଁ ବନାନ ସଂଶୋଧନ ବ୍ୟବସ୍ଥା
  • ଡିଜିଟାଲ ଶଦ୍ଦକୋଷର ବିକାଶ ଓ ବ୍ୟବହାର

ପ୍ରଥମେ ଗଣଶିକ୍ଷା ବିଭାଗ, ପରେ ସଂସ୍କୃତି ବିଭାଗ ନେଇଥିଲା ଏହାର ପରିଚାଳନା ଦାୟିତ୍ବ। ସାଧାରଣ ପରିଷଦ ସଭାପତି ହୋଇଥିଲେ ସଂସ୍କୃତି ମନ୍ତ୍ରୀ। କିନ୍ତୁ ପ୍ରତିଷ୍ଠାନ ଚାଲିବାକୁ ଆବଶ୍ୟକ କର୍ମଚାରୀ ନାହାନ୍ତି କି ଜଣେ ସ୍ଥାୟୀ ନିର୍ଦ୍ଦେଶକ ମଧ୍ୟ ନାହାନ୍ତି । ଯେଉଁସବୁ କମିଟି ଗଠନ ହୋଇପାରିନି, ତାହା ମଧ୍ୟ ହୋଇ ନଥିବା ଅଭିଯୋଗ ହୋଇଛି। ସରକାରୀ ସ୍ତରରେ ଓଡ଼ିଆ ଭାଷା ପ୍ରଚଳନ ହେବାକୁ ହେଲେ ପ୍ରଥମେ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ସଜାଡ଼ିବା ଆବଶ୍ୟକ ବୋଲି କହିଛନ୍ତି ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ସହ କାର୍ଯ୍ୟକ୍ରମ ସଂଯୋଜକ ଅରବିନ୍ଦ ରାୟ।

ନାହିଁ ନାହିଁର ବ୍ୟବସ୍ଥା ଭିତରେ ଅଚଳପ୍ରାୟ ହୋଇପଡିଛି ଭାଷା ପ୍ରତିଷ୍ଠାନ। ଏମିତିକି ବର୍ଣ୍ଣବୋଧକୁ ନେଇ ପୂର୍ବରୁ ହୋଇଥିବା ବିବାଦ ହାଇକୋର୍ଟ ପର୍ଯ୍ୟନ୍ତ ଯାଇଛି। ପ୍ରତିଷ୍ଠାନ ସଂସ୍କୃତି ବିଭାଗ ଅଧିନରେ, କାର୍ଯ୍ୟାଳୟ ସଂସ୍କୃତି ଭବନରେ କିନ୍ତୁ ଖାରବେଳ ଭବନରୁ କାର୍ଯ୍ୟ କରୁଛନ୍ତି ଅଧିକାରୀ । ଅନ୍ୟପଟେ ଭାଷା ପ୍ରତିଷ୍ଠାନକୁ କାର୍ଯ୍ୟକ୍ଷମ କରିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଆଗକୁ ଅନେକ ପରିବର୍ତ୍ତନ ହେବ ବୋଲି କହିଛନ୍ତି ପ୍ରତିଷ୍ଠାନର ପରାମର୍ଶଦାତା ।

ସରକାରୀ ସ୍ତରରେ ଓଡ଼ିଆ ଭାଷାର ପ୍ରଚଳନ କରିବାକୁ ହେଲେ ସର୍ବପ୍ରଥମେ ପ୍ରଶାସନିକ ଶଦ୍ଦକୋଷର ପ୍ରଶିକ୍ଷଣର ଆବଶ୍ୟକ ରହିଛି । ଆଗାମୀ ଦିନରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କିପରି ହେବ, ଯେଉଁସବୁ ସମସ୍ୟା ରହିଛି, କିପରି ଏହା ଦୂର ହେବ, ତା’ ଉପରେ ରହିଛି ସମସ୍ତଙ୍କ ନଜର।