ଓଡିଶା ଜଙ୍ଗଲରେ ପ୍ରଥମ ଥର ଲାଗି ରାତ୍ରିଭ୍ରମଣ । ଆରମ୍ଭ ହେଲା ଚନ୍ଦକା ଅଭୟାରଣ୍ୟରେ ନାଇଟ୍ ସଫାରୀ । ପ୍ରଥମ ସନ୍ଧ୍ୟାରେ ଜଙ୍ଗଲ ବୁଲିଲେ ସ୍କୁଲ ଛାତ୍ରଛାତ୍ରୀ ।

142

କନକ ବ୍ୟୁରୋ: ଜଙ୍ଗଲ ଓ ପଶୁ ପକ୍ଷୀଙ୍କୁ ଭଲ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର । ଆରମ୍ଭ ହେଲା ଚନ୍ଦକା ନାଇଟ ସଫାରୀ । ଏଣିକି ରାତିରେ ଲୋକମାନେ ଜଙ୍ଗଲ ସଫାରୀର ମଜା ନେଇପାରିବେ । ରାତିରେ ବୁଲିପାରିବେ ଚନ୍ଦକା ଡମପଡା ଅଭୟାରଣ୍ୟ । ସେଥିପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ଦୁଇଟି ସିଫ୍ଟରେ ଅଭୟାରଣ୍ୟ ଭିତରକୁ ଯାଇ ଜଙ୍ଗଲୀ ଜୀବ, ଜନ୍ତୁଙ୍କୁ ଦେଖିବା ସହ ଘଂଚ ଜଙ୍ଗଲରେ ସମୟ କାଟିପାରିବେ ।

ସୋମବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଉଭୟ ଅଫଲାଇନ ଓ ଅନଲାଇନରେ ଟିକେଟ କାଟି ଲୋକମାନେ ଏହି ନାଇଟ ସଫାରୀର ମଜା ନେଇପାରିବେ । ରାଜଧାନୀର ବିଭିନ୍ନ ସ୍କୁଲ ପିଲାଙ୍କୁ ସ୍ୱତନ୍ତ୍ର ଗାଡି ଯୋଗେ ଘଂଚ ଜଙ୍ଗଲ ବୁଲାଯାଇଛି । ପିଲାମାନେ ମଧ୍ୟ ଜଙ୍ଗଲ ସଫାରୀ ବୁଲି ବେଶି ଖୁସି ହୋଇଛନ୍ତି । ଚନ୍ଦକା ଡମପଡା ଅଭୟାରଣ୍ୟ ମଧ୍ୟରେ ବୁଲି ଜଙ୍ଗଲି ହାତୀ, ହରିଣ, ଠେକୁଆ, କୋକିଶିଆଳି, ଶିଆଳ, ବାରହା, କୁଟ୍ରା ଆଦି ଜନ୍ତୁଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ରହିଛି । ତାକୁ ଆଖି ଆଗରେ ରଖି ଏଭଳି ବ୍ୟବସ୍ଥା କରାଯାଇଥିବା ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ।