ଆଜି ବି କମିନି ଧୋନୀଙ୍କ ବ୍ରାଣ୍ଡ ଭାଲ୍ୟୁ । ପୁଣିଥରେ ଝାଡଖଣ୍ଡର ସବୁଠୁ ଅଧିକ ଆୟକର ଦାତା ହେଲେ କ୍ୟାପଟେନ୍ କୁଲ୍ ମାହି ।

178

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ତଥା ବିଶ୍ୱକପ୍ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବ୍ରାଣ୍ଡ ଭାଲ୍ୟୁ ଆଜି ବି ଭରପୂର ହେଇ ରହିଛି । ଅନ୍ତର୍ଜାତୀୟ କ୍ରିକେଟରୁ ସେ ଅବସର ନେବା ପରେ, ଆଜି ବି ଆଇପିଏଲରେ ତାଙ୍କର ଜଲୱା ଦେଖିବାକୁ ମିଳୁଛି । ତେବେ ଏହାର ଫଳସ୍ୱରୂପ ପୁଣିଥରେ ଝାଡଖଣ୍ଡର ସବୁଠୁ ବଡ ଆୟକର ଦାତା ହେଇଛନ୍ତି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ ।

ମିଡିଆ ରିପୋର୍ଟ ମୁତାବକ, ଆୟକର ବିଭାଗର ରିପୋର୍ଟରୁ ଏଭଳି ସୂଚନା ମିଳିଛି । ପୁଣିଥରେ ଝାଡଖଣ୍ଡର ରାଜ୍ୟର ସବୁଠୁ ଅଧିକ ଆୟକର ଦାତା ହେଇଛନ୍ତି ମହେନ୍ଦ୍ର ସିଂହ ଧୋନୀ । ତେବେ ଗତ ବର୍ଷ ତୁଳନାରେ ତାଙ୍କର ଆମଦାନୀ ସ୍ଥିର ଥିବା କୁହାଯାଉଛି । ସୂଚନା ମୁତାବକ, ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଆୟକର ବିଭାଗକୁ ୩୮ କୋଟି ଟଙ୍କା ଆଡଭାନ୍ସ ଟ୍ୟାକ୍ସ ଦେଇଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଗତବର୍ଷ ମଧ୍ୟ ଆୟକର ବିଭାଗକୁ ୩୮ କୋଟି ଟଙ୍କା ଟ୍ୟାକ୍ସ ପଇଠ କରିଥିଲେ ଧୋନୀ ।

ଆୟକର ବିଭାଗକୁ ଦିଆଯାଇଥିବା ଟ୍ୟାକ୍ସରୁ ସୂଚନା ମିଳୁଛି ଯେ, ଆଜି ବି ମାର୍କେଟରେ ଧୋନୀଙ୍କ ବ୍ରାଣ୍ଡ ଭାଲ୍ୟୁ ସ୍ଥିର ରହିଛି । ଧୋନୀଙ୍କ ଆମଦାନୀରେ ବୃଦ୍ଧି ଘଟିନଥିଲେ ମଧ୍ୟ, ଏଥିରେ ହ୍ରାସ ଦେଖିବାକୁ ମିଳିନି । ତେବେ କ୍ରିକେଟ୍ ଖେଳିବା ବ୍ୟତୀତ ଧୋନୀ ବିଭିନ୍ନ କମ୍ପାନୀର ପ୍ରଚାର ପ୍ରସାର ମଧ୍ୟ କରନ୍ତି । ଏହାସହ ତାଙ୍କର ଇଣ୍ଟରଟେନମେଣ୍ଟ କମ୍ପାନୀ, କ୍ରିକେଟ୍ କୋଚିଂ କମ୍ପାନୀ ମଧ୍ୟ ରହିଛି ।

ସୂଚନାଯୋଗ୍ୟ ଯେ, ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବି ଏବେ ଆଇପିଏଲ୍ ଖେଳିବା ଜାରି ରଖିଛନ୍ତି । ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ରହିବା ସହିତ ଏହି ଦଳ ତରଫରୁ ସେ ମ୍ୟାଚ୍ ଖେଳୁଛନ୍ତି । ଆଜି ବି ଧୋନୀଙ୍କର ହଜାର ହଜାର ପ୍ରଂଶସକ ପଡିଆରେ ତାଙ୍କୁ ଉତ୍ସାହିତ କରିବାକୁ ମ୍ୟାଚ୍ ଦେଖିବାକୁ ଆସିଥାନ୍ତି ।