ଓଡ଼ିଆରେ MBBS ପଢ଼ିବେ ପିଲା । କ’ଣ ହୋଇପାରେ ଅସୁବିଧା? ସୀମିତ ହୋଇଯିବ କି ଡାକ୍ତରଙ୍କ ଜ୍ଞାନ?

932

କନକ ବ୍ୟୁରୋ : ଓଡ଼ିଆରେ ପଢ଼ାଯିବ ଡାକ୍ତରୀ ପାଠ । ଓଡ଼ିଶାର ପିଲାଙ୍କ ପାଇଁ ଡାକ୍ତରୀ ପାଠକୁ ସହଜ ଓ ବୋଧଗମ୍ୟ କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ସେଇଥିପାଇଁ ଏକ ୨୨ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟି ଏମବିବିଏସ ପାଠ୍ୟକ୍ରମର ବହିକୁ ଅନୁବାଦ ପାଇଁ ଚିହ୍ନଟ କରିବେ ଓ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସ୍ବାସ୍ଥ୍ୟବିଭାଗକୁ ୧୫ ଦିନ ଭିତରେ ପରାମର୍ଶ ଦେବେ । ତେବେ ସରକାରଙ୍କ ଏହି ପଦକ୍ଷେପ କେତେ ଫଳପ୍ରଦ ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।

  • ଓଡ଼ିଆରେ ଏମବିବିଏସ୍ ପଢ଼ିବେ ପିଲା
  • କ’ଣ ହୋଇପାରେ ଅସୁବିଧା?

ପୂର୍ବ ସରକାର ଇଞ୍ଜିନିୟରିଂ ପାଠ ଓଡ଼ିଆରେ ପଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ । ଏବେ ମୋହନ ସରକାର ମେଡିକାଲ ପାଠ୍ୟକ୍ରମକୁ ଓଡିଆରେ ପଢ଼ାଇବା ପାଇଁ ଏକ କମିଟି ଗଠନ କରି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ବ୍ୟବହାରିକ ଦୃଷ୍ଚିରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ମେଡିକାଲ ପାଠ୍ୟକ୍ରମର ବହିକୁ ଓଡ଼ିଆରେ ଅନୁବାଦ କରିବା ସହଜ ହେବ ନାହିଁ । ତା ସହିତ ମେଡିକାଲ ପାଠ ସଂପର୍କିତ ଅନେକ ଇଂରାଜୀ ଶବ୍ଦର ସଠିକ୍ ଓଡିଆ କରାଯାଇ ନାହିଁ । ଏହାଛଡା ପ୍ରଶ୍ନ ଉଠୁଛି ଓଡିଆରେ ପଢିଥିବା ଡାକ୍ତର କେଉଁ ଭାଷାରେ ପ୍ରେସକ୍ରିପସନ ଲେଖିବେ, ଇଂରାଜୀରେ ନା ଓଡିଆରେ? ଔଷଧର ନାମ ଇଂରାଜୀରେ ରହୁଥିବାରୁ ରୋଗୀ ଏବଂ ଔଷଧ ଦୋକାନୀ ସମସ୍ୟାରେ ପଡ଼ିବେ । ଏପରି ସ୍ଥିତିରେ ମେଡିକାଲ ପାଠ୍ୟକ୍ରମ ଓଡିଆରେ ହେଲେ ଏହାର ସୁଫଳ କେତେ ମିଳିବ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି ।

  • ଓଡ଼ିଆରେ ପଢ଼ିଲେ ସୀମିତ ହୋଇଯିବ କି ଡାକ୍ତରଙ୍କ ଜ୍ଞାନ?
  • ଉଚ୍ଚଶିକ୍ଷା ପାଇଁ ହୋଇପାରେ ସମସ୍ୟା

ଓଡିଆରେ ଏମବିବିଏସ ପଢ଼ିବା ପରେ ଆଗକୁ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ । ଆଧୁନିକ ଚିକିତ୍ସା ସଂପର୍କିତ ଜ୍ଞାନ ଆହରଣ ଓ ଡାକ୍ତରୀ ଦକ୍ଷତା ବୃଦ୍ଧିରେ ଓଡ଼ିଆ ଭାଷା ପ୍ରତିବନ୍ଧକ ସାଜିପାରେ । ଅନ୍ତର୍ଜାତୀୟ ରିସର୍ଚ୍ଚ ପେପର, ମେଡିକାଲ ଜର୍ଣ୍ଣାଲ, ଆର୍ଟିକିଲ ସବୁ ଇଂରାଜୀରେ ଆସୁଥିବାରୁ ଓଡ଼ିଆରେ ପଢ଼ିଥିବା ପିଲାଙ୍କ ପାଇଁ ସମସ୍ୟା ହେବ । ଏହାଛଡା ଉଚ୍ଚଶିକ୍ଷା ପାଇଁ ବାହାର ରାଜ୍ୟକୁ ଗଲେ ସମସ୍ୟାର ସମ୍ମୁଖୀନ ହେବେ । ନିଟ୍ ପରୀକ୍ଷା ପ୍ରସ୍ତୁତରେ ମଧ୍ୟ ଅସୁବିଧା ଭୋଗିବେ ।

ପୂର୍ବରୁ ଓଡିଶାରେ ୟୁପିଏସସି ଓ ଓପିଏସସି ପରୀକ୍ଷା ମଧ୍ୟ ଜଣେ ପରୀକ୍ଷାର୍ଥୀ ଓଡ଼ିଆରେ ଦେଇପାରିବେ ବୋଲି ସରକାର ନିଷ୍ପତି ନେଇଥିଲେ। ହେଲେ ୟୁପିଏସସି ଓ ଓପିଏସସି ପରୀକ୍ଷା ଦେଉଥିବା ପରାକ୍ଷାର୍ଥୀଙ୍କ ସଂଖ୍ୟା ହାତଗଣତି ।