ଆଇପିଏଲକୁ ପୁଣି ରିଟର୍ଣ୍ଣ କଲା କରୋନା । ଲୋକପ୍ରିୟ କମେଣ୍ଟେଟର ହେଲେ କୋଭିଡ୍ ପଜିଟିଭ୍ ।

135

କନକ ବ୍ୟୁରୋ: ଆଇପିଏଲକୁ ପୁଣି ଘାରିଲା କରୋନା ଡର । ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ଭିତରେ ଆଇପିଏଲ୍ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ କରୋନା ପଜିଟିଭ୍ ଖବର ଆସିଛି । ପ୍ରସିଦ୍ଧ ହିନ୍ଦୀ ଭାଷ୍ୟକାର ଆକାଶ ଚୋପ୍ରା କରୋନା ସଂକ୍ରମିତ ହୋଇପଡିଛନ୍ତି ।

ଆକାଶ ଚୋପ୍ରା ନିଜେ ଟୁଇଟ୍ କରି ଏପରି ସୂଚନା ଦେଇଛନ୍ତି । ନିଜ ୟୁଟ୍ୟୁବର କମ୍ୟୁନିଟି ପୋଷ୍ଟରେ ପୋଷ୍ଟ ଲେଖି ସେ କହିଛନ୍ତି, ବ୍ୟାଘାତ ପାଇଁ ଦୁଃଖିତ ଅଟେ । କୋଭିଡ୍ ପୁଣି ଷ୍ଟ୍ରାଇକ୍ କରିଦେଇଛି । ତା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ଦିନ ମୁଁ କମେଣ୍ଟ୍ରି କରିପାରିବିନି । ୟୁଟ୍ୟୁବରେ ମଧ୍ୟ ବହୁତ କମ୍ ନଜର ଆସିବି । ଗଳା ଖରାପ ଅଛି, ତଣ୍ଟିରେ ମଧ୍ୟ ଅସୁବିଧା ହେଉଛି ବୋଲି ଆକାଶ ଚୋପ୍ରା କହିଛନ୍ତି ।

ତେବେ ଆକାଶଙ୍କ ପାଖରେ କୋଭିଡର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି । ଖୁବଶୀଘ୍ର ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି । ତେବେ ସବୁକିଛି କଣ୍ଟ୍ରୋଲ ଭିତରେ ରହିବା ସହିତ ସେ ଖୁବଶୀଘ୍ର ଫେରିବେ ବୋଲି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କୋଭିଡ୍ କଟକଣା ପରେ ଚଳିତବର୍ଷ ଆଇପିଏଲ୍ ନିଜ ସ୍ୱରୂପକୁ ଫେରିଛି । ହେଲେ ଏବେ ବି କୋଭିଡର ଭୟ ଯାଇନି । ତେଣୁ ଆକାଶ ଚୋପ୍ରା ନିଜକୁ ଆଇପିଏଲଠାରୁ ଦୂରେଇ ରଖିଛନ୍ତି ।