ଗୁଜରାଟ ଟାଇଟନ୍ସକୁ ଶେଷ ଓଭରରେ ଚକମା ଦେଲା କେକେଆର : ୫ଟି ଛକା ମାରି ଦଳକୁ ଜିତାଇଲେ ରିଙ୍କୁ ସିଂହ

81

କନକ ବ୍ୟୁରୋ : ଗତକାଲି ରବିବାର ଆଇପିଏଲର ଦୁଇଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଗୁଜରାଟ ଟାଇଟନ୍ସକୁ ଅହମଦାବାଦରେ ହରାଇଛି । ଅନ୍ୟଟି ସନ୍ ରାଇଜର୍ସ ହାଇଦ୍ରାବାଦ ପଞ୍ଜାବ କିଙ୍ଗସକୁ ହରାଇଛି । ଉଭୟ ମ୍ୟାଚ ବେଶ ରୋମାଞ୍ଚକର ଥିଲା । କେକେଆର ଆଗରେ ବିଶାଳ ରନର ଟାର୍ଗେଟ ଥିଲା । ୨୦୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ୨୮ ରନରେ ୨ଟି ୱିକେଟ ହରାଇ ବିପଦରେ ପଡିଥିଲା । ଶେଷ ୫ ବଲରୁ ୨୮ ରନ୍ ଆବଶ୍ୟକ କରୁଥିବା କୋଲକାତା ନାଇଟ୍ ରାଇଡର୍ସ ପାଇଁ ଏହି କଷ୍ଟସାଧ୍ୟ ଲକ୍ଷ୍ୟକୁ ସମ୍ଭବ କରି ଦେଖାଇଛନ୍ତି ଦଳର ରିଙ୍କୁ ସିଂହ ।

ଅନଭିଜ୍ଞ ୟାଶ ଦୟାଲଙ୍କ ୫ଟି ବଲକୁ ଲଗାତାର ଛକା ମାରି କ୍ରିକେଟପ୍ରେମୀଙ୍କ ମନରେ ଶିହରଣ ଖେଳାଇ ଦେଇଛନ୍ତି । ଆଇପିଏଲ୍ ଇତିହାସରେ ଶେଷ ଓଭରରୁ ସର୍ବାଧିକ ୨୯ ରନ୍ ସଂଗ୍ରହ କରି କୌଣସି ଦଳ ଆଗରୁ ଜିତିନଥିଲେ । ସେହିପରି ସନରାଇଜର୍ସ ହାଇଦ୍ରାବାଦ ରବିବାର ତୃତୀୟ ମ୍ୟାଚରୁ ପ୍ରଥମ ବିଜୟ ସହ ପଏଣ୍ଟ ଖାତା ଖୋଲିଛି । ପଞ୍ଜାବ ମାତ୍ର ୧୪୩ ରନ୍ କରିଥିଲା । ଜବାବରେ ରାହୁଲ ତ୍ରିପାଠୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ହାଇଦ୍ରାବାଦ ୧୯ ବଲ୍ ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା ।

କାମ ଛୋଟ ହେଉ ଅବା ବଡ ଲକ୍ଷ୍ୟ ସ୍ଥିର ରହିବା ଦରକାର । ଏକଦା ଗୋଟିଏ କୋଚିଂ ସେଣ୍ଟରରେ ସଫେଇ କାମ କରିବାକୁ ଚାକିରି ପାଇଥିଲେ । କିନ୍ତୁ ନିଜ ଲକ୍ଷ୍ୟକୁ ହାସଲ କରିବାକୁ ଯାଇ ଆର୍ଥିକ ଅନଟନ ଭିତରେ ସେ ସଫେଇ କାମ ଛାଡି କ୍ରିକେଟ ବ୍ୟାଟକୁ ଆପଣାଇ ନେଇଥିଲେ । ଆଉ ଏବେ ସେ ଚର୍ଚ୍ଚାରେ । ଆମେ କହୁଛି ରିଙ୍କୁ ସିଂହଙ୍କ କଥା । ଯିଏକି ଗୁଜରାଟ ଟାଇଟନ୍ସ ବିପକ୍ଷରେ ଶେଷ ଓଭରରେ ଲଗାତର ୫ଟି ଛକା ମାରିଛନ୍ତି ।