ପାଣ୍ଡିଆନଙ୍କ ପାଇଁ ଏକାଠି ହେଲେ ଆଇଆଇଏସ ଅଫିସର! ଧର୍ମେନ୍ଦ୍ରଙ୍କ ପ୍ରଶ୍ନ, ପୂର୍ବରୁ କାହିଁକି ଏଭଳି ଘଟଣାରେ ଚୁପ୍ ଥିଲେ ସରକାର

51

କନକ ବ୍ୟୁରୋ : ପାଣ୍ଡିଆନ୍ ପାଇଁ ବାହାରିଲେ ଆଇଏଏସ ସଂଘ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟନ ପାଣ୍ଡିଆନଙ୍କ ବାସଭବନ ଉପରେ ଆକ୍ରମଣ ଘଟଣା ବିରୋଧରେ ଏକାଠି ହୋଇଛନ୍ତି ଅଫିସର । ଓଡ଼ିଶା କ୍ୟାଡରର ଅଧିକାଂଶ ଆଇଏଏସ ଅଧିକାରୀ, ବୈଠକ କରି ପାଣ୍ଡିଆନଙ୍କ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ସ୍ମାରକ ପତ୍ର ଦେବେ ବୋଲି ନିଷ୍ପତି ନେଇଛନ୍ତି । ଗୋଟିଏ ପଟେ ଆଇଏଏସ ଅଧିକାରୀମାନେ ଏକାଠି ହୋଇଛନ୍ତି ଅନ୍ୟପଟେ ଏହାକୁ ନେଇ ରାଜନୈତିକ ଦଳ ଭିତରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହୋଇଛି ।

ଶନିବାର ସକାଳ ପ୍ରାୟ ୧୦ଟା ୪୫ ମିନିଟ୍ । ରାଜଧାନୀରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ପୂରା ରାଜ୍ୟର ରାଜନୈତିକ ପରିବେଶକୁ ଉଷୁମ କରି ଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ସରକାରୀ ବାସଭବନକୁ ଧସେଇ ପଶି ଭଙ୍ଗାରୁଜା ଓ ଗୋବର ମାଡ଼ କରିବା ସହ ବିଜେପି ପତାକା ଉଡାଇ କର୍ମୀମାନେ ଦେଇଥିଲେ ପାଣ୍ଡିଆନ୍ ହାୟ ହାୟ ନାରାବାଜି । ଏହି ଘଟଣାକୁ ନେଇ ଦିନ ତମାମ ଚାଲିଥିଲା ଛକାପଂଝା । ବିଜେଡି-ବିଜେପି ମଧ୍ୟରେ ଜୋରଦାର ଟକ୍କର ଚାଲିଥିବା ବେଳେ ଏହି ଘଟଣା ଘିଅରେ ନିଆଁ ଢାଲିଦେଇଛି । ନେତାଙ୍କୁ ଛାଡି ଅଫିସରଂକୁ ଘେରିବା ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଛି ।

ଆଜି ପାଣ୍ଡିଆନଙ୍କ ସପକ୍ଷରେ ଏକାଠି ହୋଇଛି ଆଇଏଏସ ସଂଘ । ଓଡ଼ିଶା କ୍ୟାଡରର ଅଧିକାଂଶ ଆଇଏଏସ ଅଧିକାରୀ, ବୈଠକରେ ବସି ପାଣ୍ଡିଆନଙ୍କ ଘର ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏ ନେଇ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ସ୍ମାରକ ପତ୍ର ଦେବାକୁ ସ୍ଥିର କରିଛି ଆଇଏଏସ ସଂଘ ।

ପ୍ରଥମ ଥର ପାଇଁ ନେତାଙ୍କୁ ଛାଡି ଅଫିସରଙ୍କୁ କେନ୍ଦ୍ର କରି ଚାଲିଛି ଓଡ଼ିଶାର ରାଜନୀତି । ଏହି ଘଟଣା ବିରୋଧରେ ଆଇଏଏସ ଅଧିକାରୀମାନେ ଏକାଠି ହୋଇଥିବା ବେଳେ ଦି’ଭାଗ ହୋଇଯାଇଛି ରାଜନୈତିକ ଦଳ । ଗୋଟିଏ ପଟେ ବିଜେପି, ଆରପଟେ ଅନ୍ୟ ରାଜନୈତିକ ଦଳ । ତେବେ ଏ ନେଇ ଶାସକ ଦଳକୁ କାଠଗଡ଼ାରେ ଠିଆ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯଦି ରାଜନୀତି କରିବାକୁ ଏତେ ଇଚ୍ଛା ତେବେ ଚାକରିରୁ ଇସ୍ତଫା ଦେଇ ରାଜନୀତିକ ଦଳରେ ଯୋଗ ଦିଅନ୍ତୁ । ଓଡ଼ିଶାବାସୀଙ୍କ ଠାରୁ ଦରମା ନେଇ ନାଲିଆଖି ଦେଖାଇବାକୁ ଆଦୌ ବରଦାସ୍ତ କରାଯିବନି ।

ସେପଟେ ବିଜେଡି ଅଭିଯୋଗ କରିଛି, ବିଜେପୁରକୁ ଆଖି ଆଗରେ ରଖି ଏପରି ରାଜନୈତିକ ଚାଲ ଚଳାଇଛି ବିଜେପି । ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଜେପି ଏମିତି କରି ହୀନ ରାଜନୀତି କରୁଛି ବୋଲି ବିଜେଡି କହିଛି । ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ଏଭଳି ଏକ ଘଟଣା ବିଜେପିକୁ କାଠଗଡ଼ାକୁ ଟାଣିଆଣିଛି । କଂଗ୍ରେସ କହିଛି, ୟୁପି ବିହାର ଭଳି ଓଡ଼ିଶାରେ ଗୁଣ୍ଡାରାଜ ରାଜନୀତି କରିବାକୁ ଚାହୁଁଛି ବିଜେପି ।

ପାଣ୍ଡିଆନଙ୍କ ବାସଭବନକୁ ଆକ୍ରମଣ ପରେ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ନିକଟରେ ମନ୍ତ୍ରୀପଦରୁ ବିଦା ହୋଇଥିବା ବିଜେଡିର ବରିଷ୍ଠ ନେତା ଦାମ ରାଉତ ପରୋକ୍ଷରେ ତେରେଚ୍ଛା ବାଣ ମାରିଛନ୍ତି । ଦାମ କହିଛନ୍ତି, ଯଦି ମୋ ନାଁରେ ଅଭିଯୋଗ ଆସିବା ଯୋଗୁଁ ମୋତେ ମନ୍ତ୍ରୀପଦରୁ ବିଦା କରାଗଲା ତେବେ ମୁଖ୍ୟମନ୍ତ୍ରୀଙ୍କ ଅଧିନସ୍ଥ କର୍ମଚାରୀଙ୍କ ନାଁରେ ଯଦି ଅଭିଯୋଗ ଆସୁଛି ତେବେ ନୈତିକତା ଦୃଷ୍ଟିରୁ ତାଙ୍କୁ ମଧ୍ୟ ଅପସାରଣ କରାଯିବା ଉଚିତ ବୋଲି କହିଛନ୍ତି ଦାମ । ଏସବୁ ଭିତରେ ବିଜେପୁର ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ଉଠୁଛି ପଡୁଛି । ଆଉ ତା’ ଭିତରେ ଏହି ଘଟଣା ଦୁଇ ଦଳର ରାଜନୈତିକ ପ୍ରତିଦ୍ୱନ୍ଦ୍ୱତାକୁ ତୀବ୍ର କରିଛି ।