ନଦୀ ଭିତରେ ୧୫ମିନିଟର ସଂଘର୍ଷ । କୁମ୍ଭୀର ସହ ଲଢି ଜୀବନ ବଞ୍ଚାଇଲେ ନାବାଳକ

1,164

କନକ ବ୍ୟୁରୋ : ନଦୀ ଭିତରେ ନାବାଳକର କୁମ୍ଭୀର ସହ ଲଢେଇ । ପ୍ରାୟ ୧୫ ମିନିଟ ଯାଏଁ ଚାଲିଲା ଏହି ଲଢେଇ । ମାତ୍ର ସାହାସର ସହ ଲଢିଥିଲେ ଏହି ଯୁବକ । ଘଟଣା ଘଟିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଅରାଜି ଗାଁରେ । କୁମ୍ଭୀର ସହ ଲଢି ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ଏହ ଗାଁର ମନୋଜ ସାହୁଙ୍କ ପୁଅ ଓମପ୍ରକାଶ । ଲଢେଇରେ ସେ ଆହତ ହୋଇଛନ୍ତି । ତାଙ୍କ ଦୁଇ ଗୋଡ, ହାତ ଓ ପିଠିରେ ଆଘାତ ଲାଗିଛି । ଆହତ ଅବସ୍ଥାରେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘଟଣା ଅନୁସାରେ, ଓମପ୍ରକାଶ ଗତକାଲି କାଣୀ ନଦୀକୁ ଗାଧେଇବାକୁ ଯାଇଥିଲେ । ଗାଁର ନଦୀ ତୁଠରେ ପାଣିର ଗଭୀରତା ୪ରୁ ୫ ଫୁଟ ଥିଲା । ଓମର ସାଙ୍ଗମାନେ ଉପରେ ଥିବାବେଳେ ସେ ନଦୀ ଭିତରକୁ ପଶିଯାଇଥିଲେ । ଏହି ସମୟରେ ପାଣି ଭିତରେ ଥିବା ବଉଳା କୁମ୍ଭୀର ଓମପ୍ରକାଶ ଉପରକୁ ଆକ୍ରମଣ ଆସିଥିଲା । ଗୋଡକୁ କାମୁଡି ଧରିଥିଲା । ସାହାସର ସହ ଓମ୍ ପାଣିରେ କୁମ୍ଭୀର ସହ ଲଢିଥିଲେ ।

ଏହି ସମୟରେ ଓମର ସାଙ୍ଗମାନେ ପାଟିକରିଥିଲେ । ଆଉ କୁମ୍ଭୀର ସେହି ସ୍ଥାନ ଛାଡି ଚାଲିଯାଇଥିଲା । ପରେ ଓମକୁ ସାଙ୍ଗମାନେ ଉଦ୍ଧାର କରିଥିଲେ । ଆହତ ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲେରେ ଭର୍ତ୍ତି କରାଯାଇଛି । ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ କୁମ୍ଭୀର ଆତଙ୍କ ବଢିବାରେ ଲାଗିଛି । ଫଳରେ ଲୋକେ ସମୁଦ୍ରକୁ ଯିବାକୁ ଭୟ କରୁଛନ୍ତି ।