ଝିଅ ହେଲେ ବୋଲି ପର କରିଦେଲେ ବାପା । ସ୍ତ୍ରୀ ଓ ତିନି ଝିଅଙ୍କୁ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି ସୁଖଦେବ । ଦାଦନ ଖଟି ଦାନା ଯୋଗାଉଛନ୍ତି ମାଆ

232

କନକ ବ୍ୟୁରୋ: ଝିଅ, କନ୍ୟା, ଦୁହିତା । ସେ ଦୁଇ କୂଳକୁ ହିତା । ଝିଅଟିଏ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସିଲେ ବୋଲି ବିଚାର କରାଯାଏ । ଆମେ ତ କଥା ପ୍ରସଙ୍ଗରେ କହୁ ପୁଅ ମାଆର, ଝିଅ ବାପାର । ଅର୍ଥାତ ବାପା ଝିଅଟିକୁ ଅଧିକ ସ୍ନେହ ଦିଏ । ହେଲେ ସବୁ ବାପା କଣ ସମାନ? ଆମ ସମାଜରେ ଏମିତି ବି ବାପା ଅଛନ୍ତି ଯିଏ ଝିଅ ଜନ୍ମ ହେଲା ବୋଲି ଘର ଛାଡି ଚାଲିଯାଆନ୍ତି ।

ବରଗଡ ଜିଲ୍ଲା ସଦର ମହକୁମାରୁ ୧୨ କିଲୋମିଟର ଦୂର ଗୋପାଳପୁର ଗାଁ । ଏଇ ଗାଁର ଶେଷ ମୁଣ୍ଡରେ ରୁହନ୍ତି ସୁକାନ୍ତି ପାତିକାର । ଘରେ ବୁଢୀ ମାଆ ଆଉ ୩ ଝିଅ । ଏଇଟା ତାଙ୍କ ଶାଶୁ ଘର ନୁହେଁ ବାପଘର । ଘର କହିଲେ ଜରିପାଲ ଛାତର କୁଡିଆ ଖଣ୍ଡେ । ଲାଗ ଲାଗ ୩ଟି ଝିଅ ଜନ୍ମ ହେଲେ ବୋଲି ସ୍ୱାମୀ ରାଗିକି ଘରଛାଡି ଚାଲିଯାଇଛି । ଯାଇଛି ଯେ, ଯାଇଛି, କେତେ ବର୍ଷ ହୋଇଗଲାଣି ଆଉ ଫେରୁନି ।

ଆପଣ ଭାବୁଥିବେ ଏମାନେ ଖାଉଥିବେ କଣ, ଚଳୁଥିବେ କେମିତି ? ହଁ ଏମାନେ ଏମିତି ଖାଉଛନ୍ତି, ପିଉଛନ୍ତି ଆଉ ବଞ୍ଚିଛନ୍ତି । କଂସାଏ ପଖାଳ, କିଛି ପାଚିଲା କଲରା ଭଜା । କଅଁଳ ବୟସରେ ପିଲାମାନେ ବୁଝି ବି ପାରିନାହାଁନ୍ତି ସେମାନଙ୍କର ଦୋଷ କଣ? କାହିଁକି ସେମାନେ ପିତୃସ୍ନେହରୁ ବଞ୍ଚିତ? ତଥାପି ଆଖିରେ ମେଞ୍ଚାଏ ସ୍ୱପ୍ନ ବୁଣିଛନ୍ତି ଯେ ପାଠ ପଢି ବଡ ମଣିଷ ହେବେ, ଡାକ୍ତର ଇଞ୍ଜିନିୟର ବନିବେ । ହେଲେ ପାଖରେ ଟଙ୍କାଟିଏ ବି ନାହିଁ । ଆଈର ଭତ୍ତା ଗଣ୍ଡାକରେ ଚଳୁଛି ପୁରା ପରିବାର ।

ସୁଖଦେବଙ୍କ ହାତ ଧରିବା ବେଳେ ସୁକାନ୍ତୀ ଭାବିଥିବେ, ସ୍ୱାମୀ ତାଙ୍କୁ ଜୀବନ ସାରା ସୁଖ ଦେବେ । ହେଲେ ‘ଝିଅ ବୋଝ’ ମାନସିକତାରୁ ଯେ ମୁକୁଳି ପାରିନି ସୁଖଦେବ, ସେକଥା ସେ କୁଆଡୁ ବୁଝିବେ ।