ବିଶ୍ୱକପ୍ ପୂର୍ବରୁ ଷ୍ଟାଡିୟମର ସ୍ଥିତି ସୁଧାରିବ ବିସିିସିଆଇ । ୫ ଷ୍ଟାଡିୟମ୍ ପାଇଁ ଖର୍ଚ୍ଚ ହେବ ୫ ଶହ କୋଟି । ଦର୍ଶକଙ୍କୁ ଷ୍ଟାଡିୟମରେ ମିଳିବ ସବୁ ସୁବିଧା ।

2,826

କନକ ବ୍ୟୁରୋ: ବିଶ୍ୱକପ୍ ପୂର୍ବରୁ ଷ୍ଟାଡିୟମର ସ୍ଥିତି ସୁଧାରିବ ବିସିସିଆଇ । ଦେଶର ପ୍ରମୁଖ ୫ଟି କ୍ରିକେଟ୍ ଷ୍ଟାଡିୟମର ନବୀକରଣ କରିବା ସହିତ, ବିସିସିଆଇ ଏହାର ମରାମତି କାମ ଖୁବଶୀଘ୍ର କରିବ । ଏଥିପାଇଁ ମୋଟ ୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ତେବେ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ଦିନିକିଆ ବିଶ୍ୱକପ୍ ହେବାକୁ ଅଛି । ଏହାକୁ ଆଖି ଆଗରେ ରଖି ବିସିସିଆଇ ଷ୍ଟାଡିୟମର ନବୀକରଣ କରିବାକୁ ଲକ୍ଷ୍ୟ ରଖିଛି ।

ଭାରତର ଏକାଧିକ ଷ୍ଟାଡିୟମରେ ସାଧାରଣ ସୁବିଧା ନଥିବା ନେଇ ଅନେକ ସମୟରେ ଅଭିଯୋଗ ହୁଏ । ଗତ ଫେବ୍ରୁଆରୀ-ମାର୍ଚ୍ଚ ଭାରତ ଏବଂ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ସମୟରେ ମଧ୍ୟ ଏମିତି କିଛି ଅଭିଯୋଗ ସାମ୍ନାକୁ ଆସିଥିଲା । ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ସ୍ୱଚ୍ଛ ଶୌଚାଳୟ ନଥିବା ନେଇ ଫ୍ୟାନ୍ସମାନେ ଅଭିଯୋଗ କରିଥିଲେ । ସେହିପରି ମୁମ୍ବାଇର ପ୍ରସିଦ୍ଧ ୱାଙ୍ଖଡେ ଷ୍ଟାଡିୟମରେ ମଧ୍ୟ ସ୍ୱଚ୍ଛତା ନଥିବା ନେଇ ଅନେକ ସମୟରେ ଅଭିଯୋଗ ଆସିଥିଲା । ତେଣୁ ଏହି ସବୁ ଅଭିଯୋଗକୁ ଆଖି ଆଗରେ ରଖି, ଫ୍ୟାନ୍ସକୁ ଉତ୍ତମ ସୁବିଧା ସୁଯୋଗ ଦେବାକୁ ବିସିସିଆଇ ଏବେ ବଡ ଯୋଜନା କରିଛି ।

ଦିନିକିଆ ବିଶ୍ୱକପ୍ ପୂର୍ବରୁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ ସହିତ ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମ, ମୋହାଲିର ପିସିଏ ଷ୍ଟାଡିୟମ୍, କୋଲକାତାର ଇର୍ଡେନ ଗାର୍ଡେନ ଷ୍ଟାଡିୟମ୍ ଏବଂ ହାଇଦ୍ରାବାଦରେ ଥିବା କ୍ରିକେଟ୍ ଷ୍ଟାଡିୟମର ନବୀକରଣ କରିବ ବିସିସିଆଇ । ଏଥିପାଇଁ ମୋଟ ୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । ସେ ମଧ୍ୟରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ ପାଇଁ ଆନୁମାନିକ ୧୦୦ କୋଟି, ହାଇଦ୍ରାବାଦ ପାଇଁ ୧୧୭ କୋଟି, ଇର୍ଡେନ ଗାର୍ଡେନ ପାଇଁ ୧୨୭ କୋଟି, ମୋହାଲି ପାଇଁ ୭୯ କୋଟି ଏବଂ ୱାଙ୍ଖଡେ ପାଇଁ ୭୮ କୋଟି ଟଙ୍କା ଖର୍ଚ୍ଚ ହେବ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ୱକପ୍ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଏହି ବିଶ୍ୱକପ୍ ଖେଳାଯିବ । ଭାରତର ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ଗୌହାଟୀ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ଇନ୍ଦୋର, ରାଜକୋଟ ମୁମ୍ବାଇ ସହିତ ବିଶ୍ୱକପ୍ ମ୍ୟାଚ୍ ଅହମ୍ମଦାବାଦରେ ମଧ୍ୟ ଖେଳାଯିବ । ୪୬ ଦିନ ଭିତରେ ମୋଟ ୪୮ଟି ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ । ଏହା ପୂର୍ବରୁ ଷ୍ଟାଡିୟମର ସ୍ଥିତି ସୁଧାରିବାକୁ ପ୍ରୟାସ ଆରମ୍ଭ କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ।