ଚିନ୍ତା ବଢ଼ାଉଛି ମୌସୁମୀ । ୧୨୩ ବର୍ଷରେ ସବୁଠୁ ଶୁଷ୍କ ହେବ ଅଗଷ୍ଟ ମାସ

419

କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି ଲଗାତର ଜଳବାୟୁ ପରିବର୍ତନ । ପ୍ରଭାବରେ କେଉଁଠି ବର୍ଷା ତ କେଉଁଠି ଶୁଖିଲା ପଡ଼ିଛି । ଆଉ ଏହାରି ଭିତରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ବେଶ୍ ଚିନ୍ତାଜନକ । ଏଲ୍ ନିନୋ ପ୍ରଭାବରେ ଚଳିତ ବର୍ଷର ଅଗଷ୍ଟ ମାସ ଶତାବ୍ଦୀର ସବୁଠାରୁ ଶୁଷ୍କ ହେବାକୁ ଯାଉଛି । ଅର୍ଥାତ୍ ଶହେରୁ ଅଧିକ ବର୍ଷ ପରେ ଭାରତରେ ଅଗଷ୍ଟ ମାସ ଶୁଷ୍କ ହେବାକୁ ଯାଉଛି । କାରଣ ଅଗଷ୍ଟ ମାସର ପ୍ରଥମ ୧୭ ଦିନରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ଆବଶ୍ୟକତା ଠାରୁ ବହୁତ କମ ରହିଛି । ୧୯୦୧ ମସିହା ପରେ ଅଗଷ୍ଟ, ୨୦୨୩ରେ ଦେଶରେ ସବୁଠାରୁ କମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗର ଦୁଇ ବରିଷ୍ଠ ଅଧିକାରୀ ରଏଟର୍ସ ରିପୋର୍ଟରେ କହିଛନ୍ତି ।

ବର୍ଷାର ଅଭାବରୁ ଖାଦ୍ୟ ମୁଦ୍ରାସ୍ଫୀତି ବଢ଼ିବାର ସମ୍ଭାବନା ରହିଛି । କାରଣ ବର୍ଷା ଅଭାବରୁ ଖରିଫ ଫସଲ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି । ଚଳିତ ଖରିଫ ଋତୁରେ ଧାନ ଠାରୁ ଆରମ୍ଭ କରି ସୋୟାବିନ ଉତ୍ପାଦନ ହ୍ରାସ ପାଇପାରେ । ସ୍ୱଳ୍ପ ବର୍ଷା ଯୋଗୁଁ ଆଗାମୀ ରବି ଋତୁରେ ଗହମ, ସୋରିଷ ସମେତ ଅନ୍ୟାନ୍ୟ ଫସଲ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି । ଗହମ ଚାଷ ପାଇଁ ଜମିରେ ଆର୍ଦ୍ରତା ଜରୁରୀ । ଚଳିତ ମୌସୁମୀ ବର୍ଷାରେ ଜମିରେ ଆଦ୍ରତା ନଥିବାରୁ ଗହମ ଉତ୍ପାଦନ ସିଧାସଳଖ ପ୍ରଭାବିତ ହୋଇପାରେ । ଯାହାଦ୍ୱାରା ସମ୍ପୂର୍ଣ୍ଣ ଭାବେ କୃଷି ଉପରେ ନିର୍ଭରଶୀଳ ଗ୍ରାମାଂଚଳ ଅର୍ଥନୀତି ଓ ଦେଶର ଆର୍ôଥକ ଅଭିବୃଦ୍ଧି ଉପରେ ପ୍ରଭାବ ପଡ଼ିପାରେ । ଭାରତ ତା’ର ୭୦ ପ୍ରତିଶତ ଚାଷଜମି ଓ ଜଳଭଣ୍ଡାରରେ ପାଣି ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ ଥାଏ । କିନ୍ତୁ ବର୍ତମାନ ଯେଉଁଭଳି ସ୍ଥିତି ଲାଗି ରହିଛି, ସେଥିରୁ ମୌସୁମୀ ଦୁର୍ବଳ ହେଉଥିବା ଅନୁମାନ କରିଛନ୍ତି ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ । ଅଧିକାରୀଙ୍କ କହିବା ଅନୁସାରେ, ଦକ୍ଷିଣ, କେନ୍ଦ୍ରୀୟ ଓ ପଶ୍ଚିମ ଭାରତରେ ବର୍ଷାର ପରିମାଣ କମ୍ ରହିଛି । ଅଗଷ୍ଟ ମାସରେ ୨୫୪ ଦଶମିକ ୯ ମିଲିମିଟର ବର୍ଷା ହେବା କଥା । କିନ୍ତୁ ଅଗଷ୍ଟ ୧୭ ତାରିଖ ସୁଦ୍ଧା ଭାରତରେ ମାତ୍ର ୯୦ ଦଶମିକ ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୪୦ ପ୍ରତିଶତ କମ । ତେଣୁ ଅଗଷ୍ଟରେ ବାସ୍ତବରେ କେତେ ବର୍ଷା ହୋଇଛି, ତାହା ମାସ ଶେଷରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେବ ।