୨୨ ତାରିଖରୁ ବିଧାନସଭା ଅଧିବେଶନ । ୨୪ ତାରିଖରେ ଉପ-ବାଚସ୍ପତି ନିର୍ବାଚନ, ୨୫ରେ ଆସିବ ରାଜ୍ୟ ବଜେଟ୍ ।

198

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରୁ ବସିବ ବିଧାନସଭା ଅଧିବେଶନ । ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚଳିତ ମାସ ୨୨ ତାରିଖରେ ବସିବାକୁ ଯାଉଛି । ଏଥିସହ ୨୫ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ମିଳିଥିବା ସୂଚନା ମୁତାବକ, ରାଜ୍ୟପାଳଙ୍କ ଅଭିଭାଷଣ ସହ ସପ୍ତଦଶ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ହେବ । ତତପରେ ଉପବାଚସ୍ପତି ନିର୍ବାଚନ ସମ୍ପର୍କରେ ଘୋଷଣା ହେୱ । ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବ । ଏହାପରେ ଚଳିତ ମାସ ୨୫ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ, ପ୍ରଥମ ଥର ପାଇଁ ମୋହନ ସରକାର ଏଥର ବିଧାନସଭା ଅଧିବେଶନରେ ବଜେଟ୍ ଉପସ୍ଥାପନ କରିବେ । ବିଜେଡି ଏଥର ପ୍ରଥମକରି ବିରୋଧୀ ଆସନରେ ନଜର ଆସିବ । ତେଣୁ ଏଥର ବିଧାନସଭା ଅଧିବେଶନରେ ଶାସକ-ବିରୋଧୀଙ୍କ ଭିତରେ କଡା ମୁକାବିଲା ଦେଖିବାକୁ ମିଳିପାରେ । ଖାସ୍ କରି ବିରୋଧୀ ବିଜେଡି, ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛି । ଅନ୍ୟପଟେ ଶାସକ ବିଜେପି ମଧ୍ୟ ବିରୋଧୀଙ୍କୁ ମୁକାବିଲା କରିବାକୁ ଅଣ୍ଟାଭିଡୁଛି ।