ବିଶ୍ୱରେ ଭାରତକୁ ଏକ ନମ୍ବର କରିବାକୁ ଅରବିନ୍ଦ କେଜ୍ରିୱାଲଙ୍କ ‘ମେକ୍ ଇଣ୍ଡିଆ ନମ୍ବର-ୱାନ୍’ ମିଶନ । ବିଜେପି କହିଲା ପ୍ରଥମେ ଦିଲ୍ଲୀକୁ ସଜାଡ

151

କନକ ବ୍ୟୁରୋ : ବିଶ୍ୱରେ ଭାରତକୁ ଏକ ନମ୍ବର କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ‘ମେକ୍ ଇଣ୍ଡିଆ ନମ୍ବର-ୱାନ୍’ ମିଶନର ଶୁଭାରମ୍ଭ କରିଛନ୍ତି । ଯୁବପିଢିଙ୍କୁ ନିଯୁକ୍ତି, ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ ସେବା ସହ ୫ ପଏଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି ଏହି ଆପ୍ ନେତା । ଏହାକୁ ଏକ ଅଣରାଜନୈତିକ ମିଶନ କହିବା ସହ  ମିିଶନରେ ଯୋଡିହେବାକୁ ଜନସାଧାରଣଙ୍କ ସହ ରାଜନୈତିକ ଦଳଗୁଡିକୁ କେଜ୍ରିୱାଲଙ୍କ ଆହ୍ୱାନ୍ ଦେଇଛନ୍ତି । ଭାରତ ପରେ ସିଙ୍ଗାପୁର, ଜାପାନ, ଜର୍ମାନୀ ସ୍ୱାଧୀନତା ପାଇଥିଲେ ହେଲେ ସେମାନେ ଆଜି ଆଗରେ ଅଛନ୍ତି ଭାରତ କାହିଁକି ନୁହେଁ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି । ଯାହାର ଯବାବ ରଖିଛି ବିଜେପି ।
୫ ପଏଂଟ୍ ଉପରେ କେଜ୍ରିିୱାଲଙ୍କ ଗୁରୁତ୍ୱ
ମାଗଣା ଶିକ୍ଷା-ଦେଶର ସବୁ ପିଲାଙ୍କୁ ଭଲ ଏବଂ ମଗଣା ଶିକ୍ଷା ଯୋଗାଇଦେବାକୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ କରିବା । ଅଧିକ ସରକାରୀ ସ୍କୁଲ ଖୋଲିବା ସହ ଗେଷ୍ଟ ଶିକ୍ଷକଙ୍କୁ ସ୍ଥାୟୀ କରିବା ।

ମାଗଣା ସ୍ୱାସ୍ଥ୍ୟସେବା-ଭାରତର ୧୩୦ କୋଟି ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା । ଏଥିପାଇଁ ଅଢେଇ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା । ସାରା ଦେଶରେ ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ କରିବା ।

ଯୁବପିଢିଙ୍କୁ ନିଯୁକ୍ତି-ଯୁବପିଢି ଦେଶର ଭବିଷ୍ୟତ । ତେଣୁ ସବୁ ଯୁବକ, ଯୁବତୀଙ୍କ ପାଇଁ ନିଯୁକ୍ତିର ବ୍ୟବସ୍ଥା କରିବା । ଦେଶର ସବୁ ଗରିବଙ୍କୁ ଧନୀ କରିବା ଉପରେ କେଜ୍ରିୱାଲ ଗୁରୁତ୍ୱ ଦେବାକୁ କହିଛନ୍ତି ।

ମହିଳାଙ୍କୁ ସମାନ ଅଧିକାର- ଦେଶର ମହିଳାମାନଙ୍କୁ ସମାନ ଅଧିକାର ଦେବା ସହ ମର୍ଯ୍ୟାଦାର ସହ ବଂଚିବା ସୁନିଶ୍ଚିତ କରିବା । ମହିଳାଙ୍କ ସୁରକ୍ଷା ଏବଂ ସମାନ ଅଧିକାର ଦେବାକୁ କେଜ୍ରିୱାଲ କହିଛନ୍ତି ।

କୃଷକଙ୍କୁ ଉପଯୁକ୍ତ ମୂଲ୍ୟ-କୃଷକମାନେ ଯାହା ଖାଦ୍ୟ, ଶସ୍ୟ ଉତ୍ପାଦନ କରୁଛନ୍ତି ତାର ଉଚିତ୍ ମୂଲ୍ୟ ଦେବା । ଯେପରି ଜଣେ କୃଷକ କୃଷକ ବୋଲି ପରିଚୟ ଦେବାକୁ ଗର୍ବ ଅନୁଭବ କରିବ ।

ଭାରତ ପରେ ସିଙ୍ଗାପୁର, ଜାପାନ, ଜର୍ମାନୀ ସ୍ୱାଧୀନତା ପାଇଥିଲେ ହେଲେ ସେମାନେ ଆଜି ଆଗରେ ଅଛନ୍ତି ଭାରତ କାହିଁକି ନୁହେଁ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି । ଆଉ ଏହାର ଯବାବ ରଖିଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର । ପ୍ରଥମେ ଦିଲ୍ଲୀକୁ ସିଙ୍ଗାପୁର, ଲଣ୍ଡନ ବନାନ୍ତୁ ତା ପରେ ଦେଶ କଥା ଚିନ୍ତା କରିବାକୁ କେଜ୍ରିୱାଲଙ୍କୁ ପରାଶର୍ମ ଦେଇଛନ୍ତି ଗମ୍ଭୀର । ଆପ୍ ସରକାର ଦୁର୍ନୀତିରେ ବୁଡି ରହିଛି । ଦିନେ ନା ଦିନେ ଏହାର ମୁଖା ଖୋଲିବ ବୋଲି ସେ କହଛନ୍ତି ।

କ୍ରେଜିୱାଲଙ୍କ ଏହି ନୂଆ ମିଶନ କେତେ ସଫଳ ହେବ ତାହା ତ ଅଲଗା କଥା ହେଲେ ଏହି ମିଶନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କୁହାଯାଉଛି ୨୦୨୪ରେ ବିଜେପିକୁ ଟକ୍କର ଦେବାକୁ ଆସୁଛି ଆପ୍  ।